ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ଉପରେ ଅଖିଳେଶଙ୍କ ଫୋକସ, ପେନସନ ନେଇ ଦେଲେ ଏଭଳି ପ୍ରତିଶୃତି

478

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନେ ନୂଆ ନୂଆ ପ୍ରତିଶୃତି ଦେବାରେ ଲାଗିଛନ୍ତି । କେବେ ମାଗଣା ବିଜୁଳି ତ କେବେ ମାଗଣା ପାନୀୟ ଜଳ , କିଏ ବେକାରୀଙ୍କୁ ପେନସନ ଦେବାକୁ ପ୍ରତିଶୃତି ଦେଉଛି ତ କିଏ କିଏ କୃଷକଙ୍କୁ ଋଣ ଛାଡ କରିବାର ପ୍ରତିଶୃତି । ଏହାରି ମଧ୍ୟରେ ୟୁପିରେ ସମାଜବାଦୀ ପାର୍ଟିର ମୁଖ୍ୟ ଆଜି ସରକାରୀ କର୍ମଚାରୀଙ୍କ ଭୋଟ ହାତେଇବାକୁ ବନ୍ଦ ହୋଇଥିବା ଏକ ଯୋଜନାକୁ ପୁଣି ଲାଗୁ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଲକ୍ଷ୍ନୌ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି ଯଦି ଚଳିତ ନିର୍ବାଚନରେ ସମାଜାବଦୀ ପାର୍ଟିକୁ ବହୁମତ ମିଳେ ତେବେ ସେ ପୁରୁଣା ପେନସନ ଯୋଜନା ପୁଣି ଲାଗୁ କରିବେ । ଅର୍ଥାତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ୨୦୦୫ ପରେ ଯେଉଁମାନେ ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ପେନସନ ମିଳିବ ନାହିଁ । ହେଲେ ଅଖିଳେଶ କହିଛନ୍ତି କି ୟୁପିରେ ତାଙ୍କ ସରକାର ଆସିଲେ ୨୦୦୫ ପରେ ସରକାରୀ ଚାକିରୀ କରିଥିବା କର୍ମଚାରୀଙ୍କୁ ବି ପୁରୁଣା ପେନସନ ଯୋଜନାରେ ପେନସନ ଯୋଗାଇ ଦିଆଯିବ । କହିରଖୁ କି ୟୁପିରେ ଏହି ଯୋଜନା ଲାଗୁହେଲେ ୧୨ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।

କେବଳ ସେତିକି ନୁହେଁ ଅଖିଳେଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ତାଙ୍କ ସରକାର ଆସିଲେ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାସଲେସ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହା ବ୍ୟତୀତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତାଙ୍କ ଘର ନିକଟରେ ଚାକିରୀ କରିବାର ସୁଯୋଗ ମିଳିବ ।