କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଏକ ମହାମେଣ୍ଟ କରିବାକୁ ବୈଠକ କରିଛି । ଏହି ବୈଠକ ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଅଧ୍ୟକ୍ଷତା କରି ମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିବା ଦଳ ସହିତ ଆସନ ବୁଝାମଣା ନେଇ ଆଲୋଚନା କରିଛନ୍ତି । ଏହି ମହାମେଣ୍ଟରେ ୬ ଟି ରାଜନୈତିକ ଦଳ ଯୋଗ ଦେଇଥିବା ସୂଚନା ମିଳିଛି ।

Advertisment

ଏହି ବୈଠକରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି, ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଆରଏଲଡି, ମହାନ ଦଲ, ଜନବାଦୀ ପାର୍ଟି, ଆପନା ଦଳର ନେତୃତ୍ୱ ମାନେ ଯୋଗ ଦେଇ ବିଧାନସଭା ଆସନ ବୁଝାମଣା ଉପରେ ଆଲୋଚନା କରିଛନ୍ତି ।।

ଅନ୍ୟପଟେ ଶରଦ ପାୱାରଙ୍କ ଏନସିପି ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବି ସମାଜବାଦୀ ପାର୍ଟି ସହ ମେଣ୍ଟ କରି ଉତ୍ତର ପ୍ରଦେଶ ନିର୍ବାଚନ ମଇଦାନକୁ ଉହ୍ଲାଉଛନ୍ତି ।
କହିରଖୁ କି ଉତ୍ତର ପ୍ରଦେଶ ନିର୍ବାଚନ ଏଥର ରୋଚକ ମୋଡ ନେବାକୁ ଯାଉଛି । ତାରିଖ ଘୋଷଣା ପରେ ରାଜନେତାମାନେ ବହୁରୂପୀ  ଭଳି ଦଳବଦଳରେ ମାତିଛନ୍ତି । ଗତକାଲି ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେବା ନେଇ ସୂଚନା ରହିଛି । ଏହାସହ ସ୍ୱାମୀ ପ୍ରସାଦଙ୍କ ସମର୍ଥକ ତଥା ବିଜେପି ଟିକେଟରୁ ଗତ ନିର୍ବାଚନରେ ବିଧାୟକ ଜିତିଥିବା ୩ ଜଣ ବିଧାୟକ ବି ସପାରେ ସାମିଲ ହେବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି ।