କନକ ବ୍ୟୁରୋ  : ନିର୍ବାଚନ ତାରିଖ ଘୋଷଣା ଯେତିକି ପାଖେଇ ଆସୁଛି, ଉତ୍ତରପ୍ରଦେଶ ରାଜନୀତି ସେତିକି ଉଷ୍ମ ହେଉଛି । ଖାସକରି ଶାସକ ବିଜେପି-ବିରୋଧୀ  ସମାଜବାଦୀ ପାର୍ଟି ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି । କାରଣ ୨୦୨୨ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇପାରେ ସମାଜବାଦୀ ପାର୍ଟି । ଆଉ ଏସବୁ ଭିତରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିଜେପି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଖିଳେଶ କହିଛନ୍ତି, ମୋର ଏବଂ ଆମ ଦଳର ନେତାଙ୍କ ଫୋନ୍ ଟ୍ୟାପ୍ କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦିନ ସନ୍ଧ୍ୟାରେ ଆମ ବାର୍ତ୍ତାଳାପର ରେକର୍ଡିଂ ଶୁଣୁଥିବା କହିଛନ୍ତି ଅଖିଳେଶ ।

Advertisment

ଏଭଳି ସଙ୍ଗୀନ ଅଭିଯୋଗ ଅଖିଳେଶ ସେତେବେଳେ ଆଣିଛନ୍ତି ଯେତେବେଳେ ଏସପିର ରାଷ୍ଟ୍ରୀୟ ସଚିବ ରାଜୀୟ ରାୟ ଏବଂ ନିଜର ସଚିବ ଜିତେନ୍ଦ୍ର ଯାଦବଙ୍କ ସମେତ ଅନ୍ୟ କିଛି ନେତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଆଉ ଏହି ଚଢାଉ ପରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପରେ ବର୍ଷିଛନ୍ତି ଅଖିଳେଶ । ଦଳର ପ୍ରମୁଖ ନେତାଙ୍କ ଘରେ ଆୟକର ବିଭାଗ ଚଢାଉ ସଂକେତ ଦେଉଛି ଯେ ଆସନ୍ତା ନିର୍ବାଚନରେ ବିଜେପି ପରାଜିତ ହେଉଛି ।

ଏହାସହ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିବାକୁ ଯାଇ ଅଖିଳେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନୁପଯୋଗୀ । ତାଙ୍କୁ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ମଧ୍ୟ ଚଲାଇ ଆସେନାହିଁ । ଯଦି କେହି ତାଙ୍କୁ କମ୍ପ୍ୟୁଟରରେ ବୁଝାଇବାକୁ ଚେଷ୍ଟା କରନ୍ତି ତେବେ ସେ ଡରିଯାଆନ୍ତି । ଆଗକୁ ନିର୍ବାଚନ ଅଛି, ଆଉ ଏହାପୂର୍ବରୁ ବିଜେପି କେନ୍ଦ୍ରୀୟ ଏଜେନ୍ସିଙ୍କ ଜରିଆରେ ଏଭଳି ଚଢାଉ କରୁଛି । ଏବେ ଆୟକର ବିଭାଗ ଆସିଛି, ଆଗକୁ ଇଡି ଓ ସିବିଆଇର ଆସିବା ମଧ୍ୟ ବାକି ଅଛି । ତେବେ ନିର୍ବାଚନ ପୂର୍ବରୁ ଏଭଳି ଯାଞ୍ଚ, ଚଢାଉ, ଫୋନ୍ ଟ୍ୟାପିଂ ସୂଚାଉଛି ଯେ, ବିଜେପି ୨୦୨୨ ନିର୍ବାଚନରେ ମାତ୍ ଖାଇବାକୁ ଯାଉଛି ।