ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଟିଏମସିକୁ ସମର୍ଥନ ଦେଲେ ଅଖିଳେଶ ଯାଦବ । କହିଲେ ‘ଟିଏମସିର ବିଜୟ ହିଁ ସମାଜବାଦୀ ପାର୍ଟିର ବିଜୟ’

308

କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ରାହାଜିଙ୍ଗ ଠାରେ ଆୟୋଜିତ ଏକ ସଭାରେ ମମତାଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ପଶ୍ଚିମବଙ୍ଗରେ ଥିବା ତାଙ୍କର ସମର୍ଥକ ଓ ଦଳର ନେତା ମାନେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ କାମ କରିବେ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷା କିରଣମୟ ନନ୍ଦ ଟିଏମସି ସମର୍ଥନରେ ନିର୍ବାଚନ ପ୍ରଚାର କରିବେ ।

ମମତାଙ୍କୁ ସମର୍ଥନ ଜଣାଇ ଅଖିଳେଶ କହିଥିଲେ କି ସେ କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି    । ଏହି କଥାବାର୍ତ୍ତା ବେଳେ ଟିଏମସିର ବିଜୟ ସମାଜବାଦୀ ପାର୍ଟିର ବିଜୟ ବୋଲି ସେ କହିଥିଲେ । ଏହାସହ ସେ କହିଛନ୍ତି କି ଏବେ ପଶ୍ଚିମବଙ୍ଗରେ ବିଜେପିର ସମର୍ଥକ ଦଳମାନେ ଲୁଚି ରହିଛନ୍ତି । ନିର୍ବାଚନ ସରିଗଲେ ସେମାନେ ପୁଣି ଉତ୍ତରପ୍ରଦେଶ ଆସିବେ ହେଲେ ଉତ୍ତରପ୍ରଦେଶର ଜନତା ସେମାନଙ୍କୁ ଗ୍ରହଣ କରିବେ ନାହିଁ ।

ସେପଟେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗର ମାଳଦାରେ କରିଥିବା ନିର୍ବାଚନ ରାଲିକୁ ନେଇ ଅଖିଳେଶ କହିଛନ୍ତି କି ଯୋଗୀ ସେଠାକୁ ଯାଉଛନ୍ତି ଯେଉଁ ଅଞ୍ଚଳର ଭାଷା ସେ ଜାଣି ନାହାନ୍ତି । ସେଠାରେ ଯେତେବେଳେ ସେ ଲଭ୍ ଜିହାଦକୁ ନେଇ ଭାଷଣ ଦେଉଥିଲେ ସେତେବେଳେ ସେ ଲୋକମାନଙ୍କୁ ସୂଚନା ଦେବା ଦରକାର ଥିଲା କି ଉତ୍ତରପ୍ରଦେଶରେ କେତେ ଯୁବକ ବେରୋଜଗାର .ଅଛନ୍ତି ।
ପଶ୍ଚିମବଙ୍ଗ ନିର୍ବାଚନକୁ ଆଉମାତ୍ର କିଛି ଦିନ ବାକି ଥିବା ବେଳେ ଗୋଟିଏପଟେ ଆରଜେଡି ମମତାଙ୍କୁ ସମର୍ଥନ କରୁଛି ତ ଅନ୍ୟପଟେ ସମାଜବାଦୀ ପାର୍ଟି ମମତାଙ୍କୁ ସମର୍ଥନ ଜଣାଇଛି । ଏମାନଙ୍କ ସମର୍ଥନକୁ ବ୍ୟବହାର କରି ମମତା କଭଳି ବିଜେପିକୁ ମାତ୍ ଦେବେ ତାହା କେବଳ ଦେଖିବାକୁ ବାକି ରହିଲା ।