ଗୋଟିଏ ହାତରେ ଆଇଏଏସ୍: ହାତ ହରାଇବି ହୋଇନଥିଲେ ହତାଶ, ଗୋଟିଏ ହାତରେ ବନିଗଲେ ଆଇଏଏସ୍

366

କନକ ବ୍ୟୁରୋ: ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ । ତାଙ୍କ ଅକ୍ଷମତା ଆଜି ତାଙ୍କୁ ସଫଳତାର ସିଢି ଚଢିବାରେ ରୋକ ଲଗାଇନାହିଁ । ଦିବ୍ୟାଙ୍ଗ ହୋଇ ମଧ୍ୟ ସଫଳତାର ଶୀର୍ଷରେ ଅଖିଳା ।  ପିଲା ବେଳୁ ନିଜ ହାତ ହରାଇଥିଲେ ମଧ୍ୟ ସେ ଆଇଏଏସ ହେବାର ସ୍ୱପ୍ନ ଦେଖିଥିଲେ । ଆଉ ଗୋଟିଏ ହାତରେ ଲେଖି ୟୁପିଏଏସି ପରୀକ୍ଷାରେ ସଫଳତା ଆଣିଛନ୍ତି । ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୨ରେ ୭୬୦ତମ ପଦବୀ ହାସଲ କରିଥିବା ଅଖିଳା ବି. ଏସ୍ ଅକ୍ଷମତାକୁ ତାଙ୍କ ସଫଳତାରେ ବାଧା ଦେବାକୁ ଦେଇନଥିଲେ । ଦୀର୍ଘ ବର୍ଷର ଚେଷ୍ଟା ତାଙ୍କୁ ଆଜି ଆଣିଦେଇଛି ଏକ ବଡ଼ ସଫଳତା ।

କେରଳର ତିରୁବନନ୍ତପୁରମର ଅଖିଲା ବି. ଏସ୍ । ସେପ୍ଟେମ୍ବର ୧୧, ୨୦୦୦ ମାତ୍ର ପାଞ୍ଚ ବର୍ଷ ବୟସରେ ଏକ ବସ୍ ଦୁର୍ଘଟଣାରେ ସେ ନିଜର ଡାହାଣ ହାତ ହରାଇବସିଲେ । ଖୁବ୍ କମ୍ ବୟସରେ କୁନି କୁନି ଆଖିରେ ଦେଖିଥିବା ସବୁ ସ୍ୱପ୍ନ ପାଣିରେ ମିଶିଗଲା  । ହେଲେ କଥାରେ ଅଛି ଇଚ୍ଛାଶକ୍ତି ଆଗରେ ହାରମାନେ ସମସ୍ତ ବାଧାବିଘ୍ନ ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଅଖିଳା । ହାତ ହରାଇବା ପରେ ନା ସେ କେବେ ଭାଙ୍ଗିପଡିଥିଲେ ନା କେବେ ହାର ମାନିଥିଲେ । ମନ ଉଣା କରିବା ବଦଳରେ ମାନସିକ ସ୍ତରରେ ନିଜକୁ ଦୃଢ କରିଥିଲେ ।  ଅଖିଳା କଟନ ହିଲ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଝିଅ ।  ହାତ ହରାଇବା ପରେ ବର୍ଷ ବର୍ଷ ଧରି ଆମେରିକାରେ ଚିକିତ୍ସିତ ହେଲେ ମଧ୍ୟ ଅଖିଳାଙ୍କୁ କୌଣସି ସୁଫଳ ମିଳିନଥିଲା । ଶେଷରେ ସେ ନିରାଶ ନହୋଇ , ଅଧିକ ସମୟ ନଷ୍ଟ ନକରି ନିଜ ବାମ ହାତରେ ଲେଖିବା ସହ ନିଜର ଦୈନନ୍ଦିନ କାର୍ୟ୍ୟକଳାପ କରିବା ଆରମ୍ଭ କରିଥିଲେ ।  ହାତ ହରାଇ କେବେବି ହତାଶ ହୋଇନଥିଲେ ଅଖିଳା । ଅଖିଳାଙ୍କ ପ୍ରତିଭା ଆଗରେ ହାର ମାନିଛି ସମସ୍ତ ପ୍ରତିବନ୍ଧକ ।

ବୟସ ସହ ତାଳ ମିଶାଇ ଆଗକୁ ଆଗକୁ ବଢିଚାଲିଥିଲେ ଅଖିଳା । ପାଠପଢା ପ୍ରତି ଥିବା ତାଙ୍କ ଦୃଢ଼ଇଚ୍ଛାଶକ୍ତି ଆଜି ତାଙ୍କୁ ଆଣିଦେଇଛି ସଫଳତା । ନିଜକୁ ଭିନ୍ନକ୍ଷମ ଭାବିବା ପରିବର୍ତ୍ତେ ସେ ଦେଖିଥିଲେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ । ଆଉ ଏବେ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି ଅଖିଳା । ଏକାଡେମିକ୍ସରେ ଭଲ ରେକର୍ଡ କରିବା ସହ ସେ ଆଇଆଇଟି ମାଡ୍ରାସରେ ଇଣ୍ଟିଗ୍ରେଟେଡ୍ ଏମଏ କରିବା ପରେ ,  ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତୃତୀୟ ପ୍ରୟାସରେ ସେ ଏହି ପରୀକ୍ଷାରେ ସଫଳତା ହାତେଇଛନ୍ତି । ହାତ ହରାଇବା ପରେ ମାନସିକ ସ୍ତରରେ କିଛି ବଡ଼ କରିବାର ଆଶା ତାଙ୍କୁ ଆଜି ଜଣେ ପ୍ରଶାସନିକ ଅଧିକାରୀ ହେବାର ପରିଚୟ ଦେଇଛି । ଚାରିଆଡୁ ନିରାଶ ହେବା ପରେ , ଦୃଢ ଇଚ୍ଛାଶକ୍ତି ନେଇ ସେ ଆଗକୁ ବଢିଚାଲିଥିଲେ । ହାତ ନଥିଲେ ବି କେବେ ସେ ହାରିନଥିଲେ । କଠିନ ପରିଶ୍ରମ କରି ୟୁପିଏସସି ପରୀକ୍ଷାରେ ସେ ୭୬୦ତମ ସ୍ଥାନ ହାସଲ କରିଛନ୍ତି । ଏହା ସହ ନିଜ ର୍ୟାଙ୍କ ଅନୁଯାୟୀ ଆଶାନୁରୂପୀ ପଦ ନମିଳିବାରୁ ସେ ପୁର୍ନବାର  ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସହ ଜଣେ ଆଇଏଏସ୍ ଅଧୀକାରୀ ହେବା ନେଇ ଆଶା ରଖିଛନ୍ତି ।