ଟିକା ନେଉଥିଲେ ସାବଧାନ । ମାତିଛନ୍ତି ନକଲି ଟିକା ବେପାରୀ । ମାୟାନଗରୀ ମୁମ୍ବାଇରେ ୨ ହଜାରରୁ ଅଧିକ ଲୋକଙ୍କ ଦିଆଯାଇଛି ନକଲି ଟିକା

176

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ବୁଧବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି କି ମୁମ୍ବାଇରେ ୨୦୦୦ ରୁ ଅଧିକ ଲୋକ ନକଲି କୋଭିଡ ଟିକାରେ ଶିକାର ହୋଇଛନ୍ତି । ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଦୀପକ ଠାକରେ ଅଦାଲତଙ୍କୁ କହିଛନ୍ତି କି ମୁମ୍ବାଇରେ ଏପର୍ଯ୍ୟନ୍ତ ପାଖା ପାଖି ୯ ଟି ନକଲି ଟିକାକରଣ ଶିବିରର ଆୟୋଜନ ହୋଇଛି । ଏନେଇ ବିଭିନ୍ନ ଥାନାରେ ୪ ଟି ଅଭିଯୋଗ ବି ହୋଇଛି । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ହୋଇଥିବା ଯାଂଚର ରିପୋର୍ଟ ବି ବମ୍ବେ କୋର୍ଟରେ ଦାଖଲ ହୋଇଛି ।

ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଜି.ଏସ୍ କୂଲକର୍ଣ୍ଣିଙ୍କ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି କି ଏଭଳି ମାମଲାରେ ୪୦୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଯାଂଚ କର୍ତ୍ତା ଅଭିଯୁକ୍ତଙ୍କୁ ଠାବ କରିବାକୁ ଚେଷ୍ଟା କରୁଛନ୍ତି । ଦୀପକ ଠାକରେ ଆହୁରି କହିଛନ୍ତି କି ଏଭଳି ନକଲି ଟିକାକରଣ ଶିବିରରେ ଅତିକମରେ ୨,୦୫୩ ଜଣ ଶିକାର ହୋଇଛନ୍ତି ।

ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ବେଳେ ରାଜ୍ୟ ସରକାର ଓ ନିଗମ ଅଧିକାରୀଙ୍କୁ ଉପଦେଶ ଦେଇ କହିଛନ୍ତି କି ନକଲି ଟିକାରେ ଶିକାରେ ହୋଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ଉପରେ ପ୍ରାଥମିକତା ଦେବା ଉଚିତ୍ ।

ଅନ୍ୟପଟେ ମୁମ୍ବାଇ ମହାନଗର ନିଗମର ଆଉଜଣେ ବରିଷ୍ଠ ଅଧିକାରୀ ଅନିଲ ସାଖରେ କହିଛନ୍ତି କି, ଯେଉଁଦିନ ଏହି ନକଲି ଟିକାକରଣ ଶିବିର ଆୟୋଜିତ ହୋଇ ଲୋକଙ୍କୁ ନକଲି ଟିକା ଦିଆଯାଉଛି, ସେହିଦିନ ଲୋକମାନଙ୍କୁ ଟିକା ପ୍ରମାଣପତ୍ର ଦିଆଯାଉ ନାହିଁ । ଏହାର ୩/୪ ଦିନ ପରେ ୩ ଟି ଅଲଗା ଅଲଗା ହସ୍ପିଟାଲ ନାମରେ ଜାରି କରାଯାଉଛି । ଏହାକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

କହିରଖୁ କି କେବଳ ମୁମ୍ବାଇ ନୁହେଁ କୋଲକତାରେ ବି ଏଭଳି ନକଲି ଟିକାକରଣ ଶିବିର ଆୟୋଜନ କରାଯାଉଛି । ଏନେଇ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଏକ ନକଲି ଟିକାକରଣ କେନ୍ଦ୍ରର ଖୋଲାସା କରିବା ପରେ ପୋଲିସ ଜଣଙ୍କୁ ଗିରଫ୍ କରିଛି ।