ଆକାଶରେ ଉଡୁଥିବା ଆକାଶ ପାଠକଙ୍କ ଆଉ ଏକ କାରନାମା: ଟାଟା ନାଁରେ ମିଛରେ ଦେଉଥିଲେ ନିଯୁକ୍ତି ପତ୍ର! ଚଂଚକତାରେ ଆସିଲା ପ୍ରଦୀପ ପାଣିଗ୍ରାହୀଙ୍କ ନାଁ! ନିଜ କ୍ଷମତା ବଳରେ ଲୋକଙ୍କୁ ମତାଉଥିବା ଅଭିଯୋଗ

1,378

କନକ ବ୍ୟୁରୋ: ପାଠକ ବାପ ପୁଅ କିଭଳି ଏତେ ସଂପତ୍ତିର ଅଧିକାରୀ ହେଲେ, କିଭଳି ରାଜକୀୟ ଜୀବନ ବଂଚୁଥିଲେ? ଏହି ଉତ୍ତର ଖୋଜିଲା ବେଳେ ଖିଅ ଯାଇ ପହଁଚିଲାଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଯାଏଁ । ମିଳିଥିବା ସୂଚନା ଅନୁସାରେ, ଆକାଶ ପାଠକ ନିଜକୁ ଟାଟା କଂପାନୀର ବରିଷ୍ଠ ଅଧିକାରୀ କହି କେବଳ ଅଫିସ ଖୋଲି ବସିନଥିଲେ ବରଂ ୬୦ରୁ ଅଧିକ ଲୋକଙ୍କୁ ଫେକ୍ ନିଯୁକ୍ତି ପତ୍ର ଦେଇଥିଲେ । ଏଥିରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପୁରା କାରସାଦି ପଛରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ସାମ୍ନାକୁ ଆସିଛି । କିଛି ଦିନ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶ ପାଠକଙ୍କ ବାହାଘର ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଆଉ ନିଜ ଜ୍ୱାଇଁଙ୍କ ପାଇଁ କୁଆଡେ ମିଛର ପୁରା ଭଣ୍ଡାର ଖୋଲି ଦେଇଥିଲେ ଏହି ପୂର୍ବତନ ମନ୍ତ୍ରୀ । ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଭୂଆଁ ବୁଲାଇଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିବା ପରେ ତଦନ୍ତର ଦିଗ ଏବେ ପ୍ରଦୀପ ପାଣିଗ୍ରାହୀଙ୍କ ଆଡକୁ ବୁଲିବାର ସମ୍ଭାବନା ରହୁଛି ।

ମିଳିଥିବା ସୂଚନା ଅନୁସାରେ, ଯେଉଁ ଲୋକମାନଙ୍କ ନାଁରେ ଫେକ୍ ନିଯୁକ୍ତି ପତ୍ର ଦିଆଯାଇଥିଲା, ଏମାନେ ସମସ୍ତେ ହେଉଛନ୍ତି ଗୋପାଳପୁର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଅଂଚଳର । ଟାଟା ଗୋପାଳପୁରରେ ଏକ ପ୍ରକଳ୍ପ କରିବାକୁ ଜମି ଆଧାଗ୍ରହଣ କରିଥିଲା । ହେଲେ ଏହା ଅଧାପନ୍ତରିଆ ହୋଇ ରହିଥିଲା । ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଜମି ମାଲିକଙ୍କୁ ଠକିବାକୁ ହୋଇଥିଲା ଆଉ ଏକ ଷଡଯନ୍ତ୍ର ।

କୁହାଯାଉଛି, ନିଜ କ୍ଷମତାକୁ ବ୍ୟବହାର କରି ଲୋକଙ୍କୁ ମତାଇ ଚାଲିଥିଲେ ପ୍ରଦୀପ ପାଣିଗ୍ରାହୀ । ଯେହେତୁ କିଛି ଦିନ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହିତ ଆକାଶର ବାହାଘର ହୋଇଥାନ୍ତା ତେଣୂ ଆକାଶଙ୍କୁ ବଂଚାଇବାକୁ ମଧ୍ୟ ଗୋପାଳପୁର ବିଧାୟକ ଯଥାସମ୍ଭବ ଚେଷ୍ଟା କରୁଥିଲେ ବୋଲି ଜଣାପଡିଛି । ଯାହା ଏବେ ତଦନ୍ତ ପରିଧିକୁ ଆସିବ ବୋଲି ସୂଚନା ମିଳିଛି ।

ବର୍ଷକୁ ଦରମା ୬ ଲକ୍ଷ ୧୦ ହଜାର । ୨୧ ଦିନ ଭିତରେ ଦିଅ ଅଫର ଲେଟର ଉପରେ ଜବାବ ।ବେଶ ଚାଲାକିର ସହ ନିଜ ଜାଲ ବିଛାଇଥିଲା ଆକାଶ । ଲୋକଙ୍କୁ ଠକି ଏକ ରାଜକୀୟ ଜୀବନ ବଂଚି ଚାଲିଥିଲା । ସୂଚନା ଅନୁସାରେ, ଏହି ଅଫର ଲେଟର ନାଁରେ ଲୋକଙ୍କ ଠାରୁ କୁଆଡେ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି । ଆଉ ଏହି ଷଡଯନ୍ତ୍ରର ପୃଷ୍ଠାରେ ପୂର୍ବତନ ମନ୍ତ୍ରୀଙ୍କ ନାଁ ଆସିବା ପରେ ତାଙ୍କ ଅଡୁଆ ବଢିପାରେ ବୋଲି ଅନୁମାନ କରାଯାଉଛି ।