ଜେରା ବେଳେ ଆକାଶ ପାଠକଙ୍କ ବଡ଼ ଖୁଲାସା: ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ କଲେ ସ୍ୱୀକାର

ହେଲେ, ଆକାଉଂଟକୁ ଆସିଥିବା ଟଙ୍କା ନେଇ ବଦଳାଉଛନ୍ତି ମତ: ଭିଜିଲାନ୍ସର ସୂତ୍ରରୁ ସୁଚନା

528

କନକ ବ୍ୟୁରୋ: ଜେରା ବେଳେ ଆକାଶ ପାଠକଙ୍କ ବଡ଼ ଖୁଲାସା । ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ ସେ ଭିଜିଲାନ୍ସର ଜେରା ବେଳେ ସ୍ୱୀକାର କରିଛନ୍ତି । ଏହା ସହ ସଂପର୍କୀୟଙ୍କ ସହ ଚାର୍ଟର ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି । ହେଲେ, ଆକାଉଂଟକୁ କେଉଠୁ ଲକ୍ଷାଧିକ ଟଙ୍କା ଆସିଲା କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅଙ୍କୁ ଘନଘନ ଜେରା କରୁଛି ଭିଜିଲାନ୍ସ ଏସଆଇଟି । ଆଜି ରିମାଣ୍ଡର ଦ୍ୱିତୀୟ ଦିନ । । ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା କୁଆଡୁ ଆସିଲା ସେ ନେଇ ଚାଲିଛି ତନାଘନା । ସେପଟେ ଆକାଶ ପାଠକ ଟାଟାର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଆଜି ଟାଟା କମ୍ପାନୀକୁ ଚିଠି ଲେଖିଥିଲା କମିସନରେଟ ପୁଲିସ ।

ସେପଟେ, ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲାରେ ତଦନ୍ତ ଜୋରଦାର ହୋଇଛି । ଏ ନେଇ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ୍ ପୁଲିସ । ଆକାଶ ପାଠକ ଟାଟାର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଚିଠି ଲେଖିଛି ପୁଲିସ । ଟାଟା ପକ୍ଷରୁ ଅଭିଯୋଗ ଆସିଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଜକୁ ଟାଟାର ଏମଡି କହି ସ୍କାଇ କିଙ୍ଗ ନାମକ ଏକ ଟ୍ରାଭେଲ ସଂସ୍ଥାକୁ ଆକାଶ ଠକିଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍କାଇ କିଙ୍ଗର ମାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ।

ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଥିଲା, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ନଦେଇ ଠକିଛନ୍ତି ବୋଲି ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନୀ ।