ଶେଷରେ ସତ ମାନିଲେ ଆକାଶ । କହିଲେ, ଟାଟା ମୋଟର୍ସରେ କରିନଥିଲେ ଚାକିରି । ସେପଟେ ଚାକିରି ଦେବା ପାଇଁ ଟଙ୍କା ନେଇଥିବାର ଆସିଲା ଅଭିଯୋଗ 

571

କନକ ବ୍ୟୁରୋ : କଳାଧନରେ କୁବେର ପାଲଟିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ନିଯୁକ୍ତି ଦେବା ବାହାନାରେ ବେକାର ଯୁବକ-ଯୁବତୀଙ୍କୁ ଠକିଥିଲେ । ଟାର୍ଟର ବିମାନ ଭଡ଼ା ନେଇ ଆକାଶରେ ଉଡୁଥିଲେ, ବଡ଼ ବଡ଼ ହୋଟେଲରେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ଅୟସ ଆରାମରେ ଦିନ କାଟୁଥିଲେ ।ଦ୍ୱିତୀୟ ଦିନର ଜୋରା ବେଳେ ଭିଜିଲାନ୍ସ ଆଗରେ ସତ ମାନି ଯାଇଛନ୍ତି ମିଛ ଓ ଜାଲିଆତିର ସୌଦାଗର ଆକାଶ ପାଠକ ।

ରିମାଣ୍ଡରେ ନେଇ ଯେତେବେଳେ ଭିଜିଲାନ୍ସ ଗୁଡାଇ ତୁଡାଇ ପ୍ରଶ୍ନ କରିଛି, ସେତେବେଳେ ସତ ମାନି ଯାଇଛନ୍ତି ଆକାଶ ପାଠକ । ଭିଜିଲ୍ାନ୍ସ ସୂଚନା ଅନୁସାରେ, ଆକାଶ ସ୍ୱୀକାର କରିଛନ୍ତି ଟାଟା ମୋଟର୍ସରେ ସେ ଚାକିରି କରି ନଥିଲେ । ଚାର୍ଟର ବିମାନ ଭଡ଼ା ନେଇଥିବା କଥା ମଧ୍ୟ ଭିଜିଲାନ୍ସକୁ କହିଛନ୍ତି ଆକାଶ ।

ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାର୍ଟର ବିମାନରେ ଉଡୁଥିଲେ ଆକାଶ । ଭିଜିଲାନ୍ସ କହିଛି, ଏକଥା ବି ମାନି ଯାଇଛନ୍ତି ଆକାଶ । ଯେତେବେଳେ ଲକଡାଉନ ଚାଲିଥିଲା, ସାରା ଦେଶର ଲୋକ ଜୀବନ-ଜୀବିକା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ପାଠକ ପରିବାର ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ଅୟସ ଆରାମରେ ପଂଚ ତାରକା ହୋଟେଲରେ ଦିନ କାଟୁଥିବା ଅଭିଯୋଗ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ସହ କି ସଂପର୍କ ରହିଛି, କେବେ ଠାରୁ ସେମାନଙ୍କ ସହ ସଂପର୍କ, ଭିଜିଲାନ୍ସକୁ କହିଛନ୍ତି ଆକାଶ ।

ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ ଆକାଶ ମାନି ଯାଇଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଏତେ ଟଙ୍କା କେମିତି ଆସିଲା ପ୍ରଶ୍ନ କରିଥିଲା ଭିଜିଲାନ୍ସ । ତେବେ ଏହି ପ୍ରଶ୍ନର ଉତରରେ ତାଳମେଳ ରହୁନଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।

ଭିଜିଲାନ୍ସ ଜାଣିବାକୁ ପାଇଥିଲା, ଆକାଶ ପାଠକଙ୍କ ୩ ଟି ବ୍ୟାଙ୍କ ଆକାଉଂଟରେ ପ୍ରାୟ ୧୫ କୋଟି ଟଙ୍କା ଡିପୋଜିଟ୍ ହୋଇଛି । ପୁନେ ଓ ଭୁବନେଶ୍ୱରରେ ଥିବା ଏହିସବୁ ଆକାଉଂଟକୁ କେଉଁଠୁ ଏତେ ଟଙ୍କା ଆସିଲା, କାହିଁକି କିଏ ତାଙ୍କୁ ଏତେ ଟଙ୍କା ଦେଇଛି, ଆକାଶଙ୍କ ଠାରୁ ଜାଣବାକୁ ଚାହିଁଥିଲା ଭିଜିଲାନ୍ସ । ତେବେ ଏ ନେଇ ବାରମ୍ବାର କଥା ବଦଳାଉଛନ୍ତି ଆକାଶ । ତେବେ ସତ ଜାଣିବାକୁ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିପାରେ ଭିଜିଲାନ୍ସ ।

ସେପଟେ ଲାପଟପ୍ ଓ ମୋବାଇଲ୍ ଫୋନ ଯାଂଚରୁ କେଉଁ ବ୍ୟକ୍ତି ଓ କେଉଁ ସଂସ୍ଥା ନିକଟରୁ ଟଙ୍କା ଆସିଛି, ଏ ନେଇ ଭିଜିଲାନ୍ସ ହାତରେ ଅନେକ କିଛି ତଥ୍ୟ ଲାଗିଛି । ସେମାନଙ୍କ ନିକଟରୁ ଆକାଶଙ୍କ ଆର୍ଥିକ କାରବାରର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।