ଠକେଇରେ ବାପାକୁ ବଳିଗଲା ପୁଅ । ଚୋରି ଟଙ୍କାରେ କରୁଥିଲେ ଦାନ-ଧର୍ମ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଇଥିଲେ ୫ଲକ୍ଷ ଟଙ୍କା

Advertisment
ଠକେଇରେ ବାପାକୁ ବଳିଗଲା ପୁଅ । ଚୋରି ଟଙ୍କାରେ କରୁଥିଲେ ଦାନ-ଧର୍ମ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଇଥିଲେ ୫ଲକ୍ଷ ଟଙ୍କା

କନକ ବ୍ୟୁରୋ : ଆକାଶ ପାଠକ । କୋଟିପତି ଆଇଏଫଏସ ଅଭୟ ପାଠକଙ୍କ ପୁଅ । ବାପା ଏକ ନଂବରୀ ଥିଲେ ତ ପୁଅ ଦଶ ନଂବରୀ ଥିଲେ । ଦାମୀ ଗାଡି ଚଢିବା, ବିଳାସ ବ୍ୟସନରେ ରହି ଅଏସ୍ କରୁଥିବା ଆକାଶ, ଜାଲ କାରବାରରେ ମାହିର ଥିଲେ । ଠକେଇ ମାମଲାରେ ସେ କୌଣସି ଗୁଣରେ ବାପାଙ୍କ ଠାରୁ କମ ନଥିଲେ । ଏକଥା ଟାଟା କଂପାନୀର ଅଭିଯୋଗ ପତ୍ର ଦେଖିଲେ ଜଣାପଡୁଛି ।

ଖାଲି ଏତିକି ନୁହେଁ ଚୋରି ଟଙ୍କାରେ ଦାନ ଧର୍ମ ବି କରୁଥିଲେ ଆକାଶ ପାଠକ । କରୋନା ଭାଇରସର ମୁକାବିଲା ପାଇଁ ଯେତେବେଳେ ସରକାର ଲୋକଙ୍କ ସହଯୋଗ ଲୋଡିଥିଲେ, ସେତେବେଳେ ଟାଟା କଂପାନୀର ପ୍ରଶାସନ ବିଭାଗର ଏମଡିର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ଦାନ କରିଥିଲେ ।

ଟାଟା କଂପାନୀ ପକ୍ଷରୁ ଆଇଜି ପୁଲିସଙ୍କୁ ଦିଆଯାଇଛି ଏକ ଅଭିଯୋଗ ପତ୍ର । ଏଥିରେ କୁହାଯାଇଛି, ନିଜକୁ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ମ୍ୟାନେଜିଂ ଡାଇରେକ୍ଟର ବୋଲି ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇ ସେ ଏହି ଚେକ ଦେଇଥିବା ଏକ ନ୍ୟୁଜ ରିପୋର୍ଟକୁ ଉଲ୍ଲେଖ କରିଥିଲା ଟାଟା । ଓଡିଶା ପ୍ରତି ତାଙ୍କର ଭାବପ୍ରବଣତା ଭରି ରହିଛି ବୋଲି ଆକାଶ ପାଠକ ସେ ନ୍ୟୁଜ ରିପୋର୍ଟରେ କହିଥିବା ଉଲ୍ଲେଖ କରାଯାଇଛି ।

ଗତ ମେ ମାସ ୧୮ ତାରିଖରେ ଆଇଜି ପୁଲିସ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆକାଶ ପାଠକଙ୍କ ଠକେଇ କଥା ଜଣାଇଥିଲା ଟାଟା କଂପାନୀ । ସେ କେମିତି ମିଛ ପରିଚୟ ପତ୍ର ଓ ମିଛ ଭିଜିଟିଂ କାର୍ଡ ଧରି ବୁଲୁଥିଲେ ସେକଥା ମଧ୍ୟ ଅଭିଯୋଗରେ କୁହାଯାଇଥିଲା ।

ଗୋଟିଏ ପଟେ ବାପା ଅଭୟକାନ୍ତ ପାଠକ, ଅତିରିକ୍ତ ପିସିସିଏଫ ଭାବେ ଓଡିଶାର ଟଙ୍କା ଲୁଟ କରି ଚାଲିଥିଲେ, ସେପଟେ ପୁଅ ଆକାଶ ପାଠକ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମଡି ବୋଲି କହି ନିଯୁକ୍ତି କରାଇଦେବାକୁ ବହୁ ସଂଖ୍ୟାରେ ଯୁବକଙ୍କ ଠାରୁ ମୋଟା ରକମର ଟଙ୍କା ନେଉଥିଲେ । ଏକଥା ଟାଟା କଂପାନୀ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି । ତେଣୁ ଉଭୟ ବାପା ଓ ପୁଅ ବେଶ ମୋଟା ରକମର ଟଙ୍କା ପକେଟରେ ଭର୍ତି କରି ଅଏସ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe