ଆକାଶଙ୍କ ନିଆରା ଜନ୍ମଦିନ: ବୃଦ୍ଧାଶ୍ରମରେ ପାଳିଲେ, ସ୍ୱାସ୍ଥ୍ୟ ଶିବିର କଲେ

84

କନକ ବ୍ୟୁରୋ: ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ‛ ଆକାଶ ଦାସନାୟକ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ନିଜ ଜନ୍ମଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ପ୍ରତିବର୍ଷ ସେ ନିଜ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ ଓ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରନ୍ତି ।

ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ‛ରେ ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ‛ ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲା । ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା । ‘ଶ୍ରୀ ହସ୍ପିଟାଲ‛ର ଡାକ୍ତର, ‘ଭୂମିକା ଚକ୍ଷୁ ଚିକିତ୍ସାଳୟ‛ର ଡାକ୍ତର ଓ ସିୱାଇଟିଓପିଓଟିର ଡାକ୍ତର ଏହି ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ ।

ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । ‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ‛ର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ।

ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବି ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶ ମଧ୍ୟ ତାଙ୍କ ଜନ୍ମଦିନରେ ସମସ୍ତଙ୍କୁ ବାର୍ତା ଦେଇ ଅନୁରୋଧ କରିଛନ୍ତି ଯେ, ସମସ୍ତେ ସେମାନଙ୍କର ଛୋଟ ପିଲାମାନଙ୍କୁ ଘରେ ରଖନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ସମଦୂରତ୍ୱ ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ପିଲାମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତୁ, କୋଭିଡ୍ ମହାମାରୀରୁ ରକ୍ଷା ପାଆନ୍ତୁ ।

ଏହି ଜନ୍ମଦିନ ପାଳନ ଉତ୍ସବରେ ‘ଶ୍ରୀ ହସ୍ପିଟାଲ‛ର ଡାକ୍ତର, ଭୂମିକା ହସ୍ପିଟାଲର ଡାକ୍ତର ଓ ସିୱାଇଟିଓପିଓଟିର ଡାକ୍ତର ଓ ‘ଉଡ୍ର ଚାରିଟେବୁଲର ଟ୍ରଷ୍ଟ‛ର ସୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଭବାନୀ ଶଙ୍କର ଜେନା, ଦେବୀ ପ୍ରସାଦ ମଙ୍ଗରାଜ, ରୋଜାଲିନ୍ ଖଣ୍ଡୁଆଳ, କିଶୋର ଦାସ, ସୌମ୍ୟ ରଞ୍ଜନ ରାଉତ, ପ୍ରମୋଦ ବଳ, ଭାଗ୍ୟଧର ସାମଲ, ପ୍ରୟାଗ ସାମଲ, ଶୁଶ୍ରୀ ଏମ୍ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।