ଭାରତର ବିଜୟ ହେଉନି ପାକିସ୍ତାନର ହଜମ, ବିତଣ୍ଡା ଯୁକ୍ତି କରୁଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା ।

975

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ୭ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇ ଏଯାବତ ଅପରାଜେୟ ରହିଛି ରୋହିତ ବାହିନୀ । ପ୍ରଥମ ଦଳ ଭାବେ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଛି ମେନ୍ ଇନ୍ ବ୍ଲୁ । ଅନ୍ୟପଟେ ପାକିସ୍ତାନ ସେମିଫାଇନାଲ ରେସରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛି । ପାକିସ୍ତାନ ମାତ୍ର ୩ଟି ବିଜୟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ପରବର୍ତ୍ତୀ ୨ଟି ମ୍ୟାଚରେ ବିଜୟୀ ହେବା ସହ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ଏସବୁ ଭିତରେ ଭାରତର ପ୍ରଦର୍ଶନକୁ ହଜମ କରିପାରିନାହାନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ହସନ ରାଜା । ବିତଣ୍ଡା ଯୁକ୍ତି କରିବା ସହ ଆଇସିସି ଓ ବିସିସିଆଇକୁ ନେଇ ଅଭିଯୋଗ କରିଛନ୍ତି ହସନ ।

ଆଇସିସି ନାଁରେ ଅଭିଯୋଗ ଆଣି ହସନ କହିଛନ୍ତ. ଅନ୍ୟ ଟିମ୍ ତୁଳନାରେ ଭାରତୀୟ ବୋଲରଙ୍କୁ ଅଧିକ ସିମ ଓ ସ୍ୱିଙ୍ଗ ମିଳୁଛି । ଏଥିପାଇଁ ଆଇସିସି ସହଯୋଗ କରୁଛି । ଚଳିତ ବିଶ୍ୱକପରେ ଭାରତୀୟ ବୋଲରଙ୍କୁ ଆଇସିସି ଭିନ୍ନ ବଲ ଦେଉଥିବା କହିଛନ୍ତି ହସନ । ଭାରତ ବିପକ୍ଷରେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହେବା ପରେ ଏଭଳି କହିଛନ୍ତି ହସନ । କେବଳ ଭାରତୀୟ ବୋଲର ବୋଲିଂ କଲାବେଳେ ଅତିରିକ୍ତ ସିମ୍ ଓ ସ୍ୱିଙ୍ଗ୍ ମିଳୁଛି କିନ୍ତୁ ଅନ୍ୟ ଦଳ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ । ତେଣୁ ଭାରତ ବୋଲିଂ କରୁଥିବା ବଲର ଯାଞ୍ଚ ହେବା ଆବଶ୍ୟକ । ଏଥିରେ ବିସିସିଆଇ ଓ ଥାର୍ଡ ଅମ୍ପାୟାର ମଧ୍ୟ ସାମିଲ ଥିବା କହିଛନ୍ତି ହସନ । ସେହିଭଳି ଡିଆରଏସ ନିୟମ ମଧ୍ୟ ଭାରତ ସପକ୍ଷରେ ରହୁଥିବା କହିଛନ୍ତି ହସନ ।

ହସନଙ୍କ ଏଭଳି ବୟାନର ମୁହଁତୋଡ ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଆକାଶ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଏହା କଣ ଏକ ଗମ୍ଭୀର କ୍ରିକେଟ ସୋ’ କି? ଯଦି ନୁହଁ ତେବେ କୌଣସି ସ୍ଥାନରେ ଇଂରାଜୀରେ ବ୍ୟଙ୍ଗ ବା କମେଡି ବୋଲି ଉଲ୍ଲେଖ କରନ୍ତୁ । ହୋଇପାରେ ଉର୍ଦ୍ଦୁରେ କୌଣସି ସ୍ଥାନରେ ଏହା ଲେଖା ହୋଇଥିବ କିନ୍ତୁ ମୋର ଦୁଭାର୍ଗ୍ୟ ମୁଁ ଉର୍ଦ୍ଦୁ ପଢିପାରେନି କି ବୁଝିପାରେନି । ଏଭଳି କହି ହସନ ଓ ଉକ୍ତ ସୋ’କୁ କଟାକ୍ଷ କରିଛନ୍ତି ଆକାଶ ଚୋପ୍ରା । ଯାହାକୁ ସୋସିଆଲ ମିଡ଼ିଆରେ ବେଶ ପସନ୍ଦ କରିଛନ୍ତି ୟୁଜର୍ସ ।

ଚଳିତ ବିଶ୍ୱକପରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଆସୁଛି । ଦଳଗତ ଭାବେ ପ୍ରତ୍ୟେକ ଖେଳାଳୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି । ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଏଯାଏଁ ଅପରାଜେୟ ରହିଛି ।