କୃଷି ଆଇନ ପ୍ରତ୍ୟାହାର ବଦଳାଇପାରେ ପଞ୍ଜାବ ରାଜନୀତିର ମୋଡ଼ । ପୁଣି ଏକାଠି ହୋଇପାରନ୍ତି ବିଜେପି ଓ ଅକାଳି ଦଳ

178

କନକ ବ୍ୟୁରୋ: ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହେବା ପରେ ପଞ୍ଜାବ ରାଜନୀତିର ମୋଡ ବଦଳିଯିବ ବୋଲି ଆକଳନ କରାଯାଉଛି । କୃଷି ଆଇନ ଉଚ୍ଛେଦ ହେବାପରେ ପଞ୍ଜାବ ବିଜେପିକୁ ମିଳିଛି ଆଶ୍ୱସ୍ତି, କାରଣ ଏହି ବିବାଦୀୟ ଆଇନ ପାଇଁ ଗତବର୍ଷ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା ଶିରୋମଣି ଅକାଳୀ ଦଳ । ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଶିରୋମଣି ଅକାଳୀ ଦଳର ହରସିମରତ କୌର । ଦୀର୍ଘ ୨୪ ବର୍ଷର ମେଣ୍ଟ ଭାଙ୍ଗିଥିଲା । ପଞ୍ଜାବରେ ମଧ୍ୟ ବିଜେପି ଏହି ଆଇନ ପାଇଁ ଶିଖ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଥିଲା । କିନ୍ତୁ କୃଷି ଆଇନ ପ୍ରତ୍ୟାହାର ପରେ ଆଗକୁ ବିଜେପିର ଲାଭ ହେବ ବୋଲି ଆକଳନ କରାଯାଉଛି ।

ବର୍ତ୍ତମାନ ପଞ୍ଜାବରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇପାରେ । ପୁଣିଥରେ ଏନଡିଏ ମେଣ୍ଟକୁ ଫେରିପାରେ ଶିରୋମଣି ଅକାଳୀ ଦଳ । ସେହିପରି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦଳ ମଧ୍ୟ ବିଜେପି ସହିତ ମେଣ୍ଟ କରିବା ନେଇ ବାଟ ଫିଟିଛି । କୃଷି ଆଇନ ପ୍ରସଙ୍ଗରେ କିଛି ସମାଧାନ ହୋଇପାରିଲେ ବିଜେପି ସହ ମେଣ୍ଟ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ଅମରିନ୍ଦର ସିଂହ ।

ସୂଚନାଯୋଗ୍ୟ ଯେ, ପଞ୍ଜାବରେ ଶାସକ କଂଗ୍ରେସ ଦଳ କୃଷି ଆଇନ ପ୍ରସଙ୍ଗରେ ବିଜେପିକୁ ଘେରି ଆସୁଥିଲା । ଲଗାତର ୨ଥର ପଞ୍ଜାବ ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ଘେରିବା ପାଇଁ କଂଗ୍ରେସ ପାଖରେ ଆଉ ବଡ ପ୍ରସଙ୍ଗ ରହିବ ନାହିଁ । ବରଂ କଂଗ୍ରେସ ବିରୋଧୀଙ୍କୁ ଏକାଠି କରି ବିଜେପି ପଞ୍ଜାବ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିବ ।