ଅଗ୍ନିକାଣ୍ଡରେ ସାର୍ଟିଫିକେଟ ପୋଡ଼ିବା ଘଟଣା; ଅଧୁରା ରହିବନି ଅଜିତେଶଙ୍କ ବିଦେଶ ଯାତ୍ରା । ସବୁ ସ୍ତରରୁ ମିଳିଲା ସହଯୋଗର ପ୍ରତିଶ୍ରୁତି ।

Advertisment
ଅଗ୍ନିକାଣ୍ଡରେ ସାର୍ଟିଫିକେଟ ପୋଡ଼ିବା ଘଟଣା; ଅଧୁରା ରହିବନି ଅଜିତେଶଙ୍କ ବିଦେଶ ଯାତ୍ରା । ସବୁ ସ୍ତରରୁ ମିଳିଲା ସହଯୋଗର ପ୍ରତିଶ୍ରୁତି ।

କନକ ବ୍ୟୁରୋ: ତାଇୱାନ ବିଶ୍ୱବିଦ୍ୟାଳୟରେ କ୍ୟାନସର ଉପରେ ଅଧିକ ଗବେଷଣା କରିବି, ଗାଁ ମାଟି ଓ ଜିଲ୍ଲାର ନାଁ ରଖିବି। ଏପରି କିଛି ସ୍ୱପ୍ନ ନେଇ ତାଇୱାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ବିଂଝାରପୁର ତାଉନ୍ତରା ଗାଁ ଧଳସାହିର ଏମ୍‌ଟେକ୍‌ ଛାତ୍ର ଅଜିତେଶ ଧଳ । ଦିନ କେଇଟା ପରେ ‌ସେ ତାଇୱାନ ବିଶ୍ୱବିଦ୍ୟାଳୟକୁ ଯାଇଥାନ୍ତେ । ହେଲେ ଗତକାଲି ରାତିରେ ଘଟିଥିବା ଅଗ୍ନିକାଣ୍ଡ ଯେମିତି ତାଙ୍କର ସବୁ ସ୍ୱପ୍ନରେ ପାଣି ପକାଇଦେଲା। ଗୋଟିଏ ପଟେ ବିଦେଶ ଯିବାକୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରୁଥିବା ବେଳେ ନିଆଁ ଲାଗି ତାଙ୍କ ଘର ସହ ସାର୍ଟିଫିକେଟ ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ସୌଭାଗ୍ୟବଶତଃ ଅଗ୍ନିକାଣ୍ଡର କିଛି ସମୟ ପୂର୍ବରୁ ଆବଶ୍ୟକ କାଗଜପତ୍ର ଧରି ଅଜିତେଶ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ । ଫେରିବା ପରେ ତାକୁ ସେ ହାତରେ ଧରିଥିଲେ।, ତେଣୁ ତାହା ରକ୍ଷା ପାଇଯାଇଥିଲା, କିନ୍ତୁ ବିଦେଶ ଯାତ୍ରା ପାଇଁ ଜରୁରି ଥିବା ଏମ୍‌ଟେକ୍‌ ପାଠ୍ୟକ୍ରମର କିଛି ସାର୍ଟିଫିକେଟ ତାଙ୍କ ଆଖି ଆଗରେ ଜଳି ପାଉଁଶ ହୋଇଗଲା। ଏ ପରିସ୍ଥିତିରେ ଅଜିତେଶ ହତବାକ୍ ହୋଇଯାଇଥିଲେ । ତଥାପି ପରିବାରର ସ୍ଥିତିକୁ ଓ ମା’କୁ ଭରସା ଦେବାକୁ ଯାଇ ସେ ସବୁ ଦୁଃଖ ଓ କୋହକୁ ନିଜ ଭିତରେ ଚାପି ରଖିଥିଲେ । ଆଉ କିଛି କ୍ଷଣ ପାଇଁ ବିଦେଶ ଯାତ୍ରାର ସ୍ୱପ୍ନକୁ ମଧ୍ୟ ଭୁଲିଯାଇଥିଲେ ।

ଆଜି ସକାଳୁ ସଦିଚ୍ଛୁଙ୍କ ସମର୍ଥନରେ ସେ ପୁଣି ନିଜ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ଉଦ୍ୟମ କରିଛନ୍ତି । ଅଗ୍ନିକାଣ୍ଡ ସଂପର୍କରେ ସେ ଏମଟେକ୍ ପଢ଼ୁଥିବା ଗୌହାଟି ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟଙ୍କୁ ଜଣାଇଛନ୍ତି। ପୋଡ଼ିଯାଇଥିବା ସାର୍ଟିଫିକେଟର ନକଲ ତୁରନ୍ତ ପ୍ରସ୍ତୁତ କରିଦିଆଯିବ ବୋଲି ବିଭାଗୀୟ ମୁଖ୍ୟ ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଭଳି କିଛି ସମସ୍ୟା କାରଣରୁ ମାର୍ଚ୍ଚ ୩୦ରେ ବିଦେଶ ଯିବାର ପ୍ରସ୍ତୁତି ହୋଇଛି । ଏହାରି ଭିତରେ ସେଠାରେ ଶିକ୍ଷାଦାନ ‌ଆରମ୍ଭ ହୋଇଯାଇଥିବାରୁ ସେ ଅନଲାଇନରେ ସେସବୁ ପଢ଼ୁଛନ୍ତି । ଏହାବାଦ୍ ସେଠାକୁ ଯିବା ପରେ ତାଙ୍କୁ ୨୧ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ପୂର୍ବରୁ ସହଯୋଗ ପାଇଁ ପ୍ରସ୍ତୁତ ଥିବା ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗତକାଲିର ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ ଆବଶ୍ୟକ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ସକାଳୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଂଝାରପୁର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ପ୍ରମୁଖ ପହଞ୍ଚି ଅଗ୍ନିକାଣ୍ଡ ସଂପର୍କରେ ବୁଝିବା ସହ ତୁରନ୍ତ ସମସ୍ତ ସହାୟତା କରାଯିବ ଏବଂ ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କଠିନ ପରିସ୍ଥିତିରେ ଧୈର୍ୟ୍ୟ ଧରିବାକୁ ଅଜିତେଶଙ୍କୁ ଗାଁ ଲୋକେ ପରାମର୍ଶ ଦେଇଛନ୍ତି। ଦମ୍ଭର ସହ ସବୁ ପରିସ୍ଥିତିକୁ ସାମ୍ନା କରି ଆସନ୍ତା ୩୦ ତାରିଖରେ ସେ ତାଇୱାନ ଯିବାକୁ ମନସ୍ଥ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe