ବିଜେପିକୁ ସମର୍ଥନ ଦେବା ଅଜିତଙ୍କୁ ପଡିଲା ମହଙ୍ଗା । ଏନସିପିର ବିଧାୟକ ଦଳ ନେତା ପଦରୁ ବିଦା ହେଲେ ପାୱାରଙ୍କ ପୁତୁରା, ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ମାମଲା ।

1,595

କନକ ବ୍ୟୁରୋ : ଏନସିପି ବିଧାୟକ ଦଳ ନେତା ପଦରୁ ହଟିଲେ ଅଜିତ ପାୱାର । ଏନସିପି ମୁଖ୍ୟ ଶରଦ ପାଓ୍ଵାର ବିଦ୍ରୋହୀ ନେତା ଅଜିତଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ବରଖାସ୍ତ କରାଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ଦଳର ନୂଆ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଅନ୍ୟପକ୍ଷରେ ସକାଳେ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା କେତେକ ବିଦ୍ରୋହୀ ବିଧାୟକ ଶରଦ ପାଓ୍ଵାରଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଛନ୍ତି । ଏନସିପିର ୫୪ ବିଧାୟକଙ୍କ ମଧ୍ୟରୁ ୪୯ ବିଧାୟକ ଏବେ ଶରଦ ପାଓ୍ଵାରଙ୍କ ନିୟନ୍ତ୍ରଣରେ ରହିଛନ୍ତି । ସେମାନଙ୍କୁ ମୁମ୍ବଇର ରେନେସାଁ ହୋଟେଲକୁ ନିଆଯିବ ବୋଲି ଜଣାପଡିଛି । ସକାଳେ ଅଜିତ ପାଓ୍ଵାରଙ୍କ ସହିତ ଯାଇଥିବା ୯ ଜଣ ଏନସିପି ବିଧାୟକଙ୍କ ମଧ୍ୟରୁ ୪ ଜଣ ଆଜି ସଂଧ୍ୟାରେ ଶରଦ ପାଓ୍ଵାରଙ୍କ ନିକଟକୁ ଫେରିଆସିଛନ୍ତି ଓ ତାଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକଟ କରିଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ଆସିଥିବା ମହାମୋଡକୁ ନେଇ ଆଜି ସାରାଦିନ ଚର୍ଚ୍ଚା ଲାଗି ରହିଛି । କାହିଁକି ନାଁ ଗୋଟି ଗୋଟିଏ ରାତିରେ ବଦଳି ଗଲା ମହାରାଷ୍ଟ୍ରର ରାଜନୈତିକ ଚିତ୍ର । ଗତକାଲି ରାତିରେ ଶିବସେନା ଓ ଏନସିପି-କଂଗ୍ରେସ ମେଂଟ ସରକାର ଗଠନର ସ୍ୱପ୍ନ ଦେଖୁଥିଲେ । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ପଥ ପରିଷ୍କାର ହେଉଥିଲା । କଂଗ୍ରେସ-ଏନସିପି ନିଜ ସହମତି ବି ପ୍ରକାଶ କରିସାରିଥିଲେ । ହେଲେ ସକାଳୁ ସକାଳୁ ଯେଉଁ ଖବର ଆସିଲା ତାହା ସବୁ ଆକଳନ ଓ ଅନୁମାନକୁ ଭୂଲ ପ୍ରମାଣିତ କରିଦେଲା । ସରକାର ଗଠନ ନେଇ ଶିବସେନା ସ୍ୱପ୍ନ ଦେଖୁଥିଲା,ହେଲେ ନେତାଙ୍କ ନିଦ ଭାଙ୍ଗିବା ଆଗରୁ ବିଜେପି ସରକାର ଗଢି ସାରିଥିଲା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନଭିସ୍ । ଆଉ ସରକାର ଗଠନରେ ସାଥୀ ହୋଇ ସାମ୍ନାକୁ ଆସିିଲେ ଏନସିପି ବିଧାୟକ ଦଳ ନେତା ଅଜିତ ପାୱାର । ଯିଏ, ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ।

ତେବେ ଏହି ଘଟଣା ପରେ ସାମ୍ନାକୁ ଆସି ମୁହଁ ଖୋଲିଥିଲେ ଏନସିପି ମୁଖ୍ୟ ଶରଦ ପାୱାର । ଅଜିତଙ୍କ ନିଷ୍ପତି ଏନସିପିର ନିଷ୍ପତି ନୁହେଁ ସ୍ପଷ୍ଟ କରିଥିଲେ ପାୱାର । ଏପରିକି ଦେବେନ୍ଦ୍ର ଓ ଅଜିତଙ୍କ ଶପଥଗ୍ରହଣକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି ଏନସିପି ।