କନକ ବ୍ୟୁରୋ : ଏନସିପି ନେତ୍ରୀ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବୟାନ ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ସୁପ୍ରିୟା କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ । କେବଳ ଏତିକି ନୁହେଁ ଅଜିତ ପାୱାର ହେଉଛନ୍ତି ଦଳର ବରିଷ୍ଠ ନେତା । ଯିଏ ଏବେ ଟିକିଏ ଭିନ୍ନ ରାସ୍ତା ଆପଣାଇଛନ୍ତି । ପୁଣେର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସୁପ୍ରିୟା କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ, ବାସ କିଛି ନେତା ଭିନ୍ନ ଷ୍ଟାଣ୍ଡ ନେଇଛନ୍ତି । ଏନେଇ ବାଚସ୍ପତିଙ୍କ ପାଖରେ ଅଭିଯୋଗ କରିଛୁ । ଶରଦ ପାୱାର ଏବେ ବି ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଜୟନ୍ତ ପାଟିଲ ରାଜ୍ୟ ସଭାପତି ଅଛନ୍ତି ।

Advertisment

ଗତ ୨ ଜୁଲାଇରେ ଅଜିତ ପାୱାରଙ୍କ ଗୋଷ୍ଠୀ ସିନ୍ଦେ ସରକାରକୁ ସମର୍ଥନ ଦେଇଥିଲେ । ଯାହାକୁ ମହାରାଷ୍ଟ୍ରରେ ରାଜନୈତିକ ଭୂକମ୍ପ ହୋଇଥିଲା । ସମର୍ଥନ ଦେବା ସହ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ । କେବଳ ଏତିକି ନୁହେଁ କିଛି ବିଧାୟକ ମଧ୍ୟ ଅଜିତଙ୍କ ସହ ବିଜେପିକୁ ସମର୍ଥନ କରିଥିଲେ । ଯାହାକୁ ନେଇ ଶରଦ ପାୱାର ଅସନ୍ତୋଷ ବ୍ୟକ୍ତ କରିବା ସହ ପୁଣିଥରେ ଦଳକୁ ସଙ୍ଗଠିତ କରିବାକୁ ମୈଦାନକୁ ଓହ୍ଳାଇବେ ବୋଲି କହିଥିଲେ ।

ଏସବୁ ଭିତରେ ସୁପ୍ରିୟା ସୁଲେଙ୍କ ବୟାନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ଏହା ଭିତରେ ଶରଦ ପାୱାରଙ୍କୁ ଅଜିତ ପାୱାର ୪ ଥର ଭେଟି ସାରିଲେଣି । ଏହି ଭେଟଘାଟକୁ ପାରିବାରିକ ସମ୍ପର୍କ ବୋଲି କୁହାଯାଉଥିଲେ ମଧ୍ୟ ଏହାର ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଥିବା କୁହାଯାଉଛି ।