କନକ ବ୍ୟୁରୋ : ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା । ଏନେଇ ମିଳିସାରିଲାଣି ସଂକେତ । ଆଜି ଆବେଦନର ଶେଷ ତାରିଖ ହୋଇଥିବା ବେଳେ ୧ ଜୁଲାଇରେ ଇଣ୍ଟରଭ୍ୟୁ ପରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯାଇପାରେ । ଆଉ ଏହି ରେସରେ ଅଜିତ୍ ଅଗରକର ଆଗରେ ରହିଛନ୍ତି । ତେବେ ବିଧିବଦ୍ଧ ଭାବେ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା ହୋଇନଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ହୋଇଥିବା ଟ୍ୱିଟ୍ ଟୁଇଷ୍ଟ ଆଣିଛି । ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ ପଦରୁ ଅଜିତ୍ ଅଗରକର ଇସ୍ତଫା ଦେଇଥିବା ଫ୍ରାଞ୍ଚାଇଜ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

Advertisment

ଦିଲ୍ଲୀ କ୍ୟାପିଟାଲ୍ସର କୋଚିଙ୍ଗ ଷ୍ଟାଫ୍ ପଦରୁ କେବଳ ଅଗରକର ନୁହନ୍ତି ବରଂ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ସେନ୍ ୱାଟସନ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ୱାଟସନ କାହିଁକି ପଦରୁ ଇସ୍ତଫା ଦେଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଫ୍ରାଞ୍ଚାଇଜ ପକ୍ଷରୁ ହୋଇଥିବା ଟ୍ୱିଟରେ ଉଲ୍ଲେଖ ରହିଛି ଯେ, ଆପଣ ୨ ଜଣଙ୍କୁ ଟିମକୁ ପୁଣିଥରେ ଫେରାଇ ଆଣିବାକୁ ସବୁବେଳେ ଚେଷ୍ଟା ଜାରି ରହିବ । ଆପଣଙ୍କ ଯୋଗଦାନ ପାଇଁ ଧନ୍ୟବାଦ ।

ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେବା ପରେ ଏହି ପଦବୀ ଫାଙ୍କା ପଡିଥିଲା । ତେଣୁ ଏହି ପଦ ପାଇଁ ଆବେଦନ କରିବାକୁ ବିିସିସିଆଇ ୩୦ ଜୁନକୁ ଶେଷ ତାରିଖ ରଖିଥିଲା । ଆସନ୍ତାକାଲି କ୍ରିକେଟ ପରାମର୍ଶଦାତା କମିଟି ଆବେଦନାକାରୀଙ୍କ ସାକ୍ଷାତକାର ନେବେ । ସାକ୍ଷାତକାର ପରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯିବ । ଏବେ ଶିବସୁନ୍ଦର ଦାସ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି ।