ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ଭବିଷ୍ୟବାଣୀ । ଆପଣଙ୍କ ମତରେ କିଏ ଜିତିବ ହାଇଭୋଲଟେଜ ମୁକାବିଲା?

409

କନକ ବ୍ୟୁରୋ : ୨୪ ଅକ୍ଟୋବର ୨୦୨୧ । ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ମୁକାବିଲା । କିଏ ଜିତିବ ଓ କିଏ ହାରିବ ତାହା ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ । କାରଣ ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ।  ତେବେ ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ମ୍ୟାଚକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ କ୍ରିକେଟର । କିଏ ଜିତିବ ମ୍ୟାଚ୍ ତାହାକୁ ନେଇ ଆକଳନ ମଧ୍ୟ କରିଛନ୍ତି ।

ଭାରତୀୟ ପୂର୍ବତନ ଅଲରାଉଣ୍ଡର ଅଜିତ ଅଗରକରଙ୍କ କହିବା ଅନୁଯାୟୀ, ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ହେଲେ ସବୁବେଳେ ଉକ୍ରଣ୍ଠା ବଢି ଯାଇଥାଏ । ଉଭୟ ଟିମ୍ ଉପରେ ମ୍ୟାଚକୁ ନେଇ ଅଧିକ ଚାପ ରହିଥାଏ । କିନ୍ତୁ ଭାରତୀୟ ଟିମର ଫର୍ମ ଓ ରଣନୀତିକୁ ଦେଖିଲେ ପାକିସ୍ତାନ ସେଭଳି ପ୍ରଭାବ ପକାଇ ପାରିବ ନାହିଁ ବୋଲି କହିଛନ୍ତି ଅଗରକର । ତେବେ ପାକିସ୍ତାନକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ପରାମର୍ଶ ଦେଇଛନ୍ତି ଅଗରକର । କାରଣ କ୍ରିକେଟ ଏକ ମଜାଦାର ଖେଳ ଓ ପ୍ରତି ମୁହୂର୍ତ୍ତରେ ଖେଳର ମୋଡ ବଦଳିଯାଏ । ଖାସକରି ଟି-୨୦ ମୁକାବିଲାରେ ଏହା ଦେଖିବାକୁ ମିଳିଥାଏ । ତେଣୁ ପାକିସ୍ତାନ ବିପକ୍ଷରେ ଭିନ୍ନ ରଣନୀତି କରିବାକୁ ଅଗରକର ପରାମର୍ଶ ଦେଇଛନ୍ତି ।

ଏହାସହ ଅଗରକର ୨୦୦୭ର ବିଶ୍ୱକପ ଫାଇନାଲ ମ୍ୟାଚକୁ ମନେ ପକାଇଛନ୍ତି ।ଅଗରକର କହିଛନ୍ତି, ୨୦୦୭ ଟି-୨୦ ବିଶ୍ୱକପ ଆମ ପାଇଁ ସ୍ୱପ୍ନ ଭଳି ଥିଲା । କେହି ସୁଦ୍ଧା ଭାବିନଥିଲେ ଏକ ଯୁବ ଟିମ୍ ବିଶ୍ୱ ଚାମ୍ପିୟନ ହୋଇ ଫେରିବ । ପାକିସ୍ତାନକୁ ଫାଇନାଲରେ ଭେଟିବା ବେଶ ରୋମାଞ୍ଚକର ହୋଇଥାଏ । ଯାହାକୁ କୋଟି କୋଟି କ୍ରିକେଟପ୍ରେମୀ ଅପେକ୍ଷା କରି ରହିଥାନ୍ତି ।

ଆସନ୍ତା ୨୪ ଅକ୍ଟୋବରରେ ପାକିସ୍ତାନକୁ ଭେଟିବ ଭାରତ । ଆଉ ଏହାସହ ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ  ଟିମ୍ ଇଣ୍ଡିଆ । ପ୍ରାୟ ୨ ବର୍ଷ ପରେ ଉଭୟ ଟିମ୍ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଶେଷ ଥର ପାଇଁ ୨୦୧୯ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଯେଉଁ ମ୍ୟାଚରେ ବଡ ବ୍ୟବଧାନରେ ପାକିସ୍ତାନକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ । ଆଉ ସବୁଠୁ ବଡ କଥା ହେଲା ବିଶ୍ୱକପ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ସବୁ ମ୍ୟାଚ୍ ବିଜୟୀ ହୋଇଛି ଭାରତ । ତେଣୁ ଏହି ଟ୍ରେଣ୍ଡ ଜାରି ରହିବାକୁ ଚାହିଁବ ବିରାଟ ବାହିନୀ ।