ଅଜିତ୍ ଅଗରକର ହେବେ ବିସିସିଆଇ ଚୟନ କମିଟିର ମୁଖ୍ୟ । କମିଟିର ତାଲିକାରେ ପ୍ରକାଶ ପାଇଲା ନାମ । ଓଡିଶାରୁ ଶିବସୁନ୍ଦର ଦାସ ବି ହୋଇପାରନ୍ତି ସାମିଲ

841

କନକ ବ୍ୟୁରୋ : ଭାରତୀୟ ଟିମ୍ ର ନୂଆ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବିସିସିଆଇର ପୂର୍ବ କ୍ରିକେଟର ଅଜିତ ଅଗରକରଙ୍କ ସମେତ ୫ ପୂର୍ବତନ ଖେଳାଳୀଙକ ନାମ ସିଲେକ୍ସନ କମିଟି ପାଇଁ ଚୟନ କରାଯାଇଛି । ବିସିସିଆଇ ଅଗରକରଙ୍କ ବ୍ୟତିତ ଚେତନ ଶର୍ମା, ମନିନ୍ଦର ସିଂ, ନୟମ ମୋଙ୍ଗିଆ ଓ ଏସ୍.ଏସ. ଦାସଙ୍କ ନାମ କୁ ସର୍ଟଲିଷ୍ଟ କରିଛି ।

କହିରଖୁ କି ଏହି ପଦ ପାଇଁ ଅଗରକରଙ୍କ ସମେତ ମୋଟ ୧୧ ଜଣ ପୂର୍ବତନ ଖେଳାଳି ଆବେଦନ କରିଥିଲେ । ଯାହାଙ୍କ ମଧ୍ୟରୁ ପଶ୍ଚିମ ଜୋନରେ ଅଜିତ ଅଗରକର, ଅଭୟ କୁଷବିର୍ଲା ଓ ନୟନ ମୋଙ୍ଗିଆ ଆବେଦନ କରିଥିଲେ । ସେହିଭଳି ଭତର ଜୋନରୁ ଚେତନ ଶର୍ମା, ମନିନ୍ଦର ସିଂ, ବିଜୟ ଡାହିୟା, ଅଜୟ ରାତ୍ରା, ଓ ନିଖିଲ ଚୋପ୍ରା ନାମାଙ୍କନ ଭରିଥିଲେ । ପୂର୍ବ ଜୋନରୁ ଶିବସୁନ୍ଦର ଦାସ, ଦେବାଶିଷ ମହାନ୍ତି ଓ ରାଣାଦେବ ବୋଷ ଆବେଦନ କରିଥିଲେ । ଏହି ୧୧ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ନାମ ସିଏସି ସିଲେକ୍ସନ କମିଟିକୁ ପଠାଇଥିଲା । ଯାହାଙ୍କ ମଧ୍ୟରେ ଅଗରକର, ଚେତନ ଶର୍ମା,ମନିନ୍ଦର ସିଂ, ନୟନ ମୋଙ୍ଗିଆ ଓ ଶିବସୁନ୍ଦର ଦାସଙ୍କ ନାମ ସାମିଲ ଅଛି ।

ବିସିସିଆଇର ନୂଆ ସମ୍ବିଧାନ ମୁତାବକ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳୀ ହିଁ ମୁଖ୍ୟ ଚୟନକର୍ତ୍ତା ପଦରେ ଉପସ୍ଥାପିତ ହୋଇପାରିବ । ତେଣୁ ଆବେଦନ କରିଥିବା ୧୧ ଜଣ କ୍ରିକେଟରଙ୍କ ମଧ୍ୟରୁ ଅଜିତ ଅଗରକର ସବୁଠାରୁ ଅଧିକ ୨୬ ଟି ଟେଷ୍ଟମ୍ୟାଚ୍ ଖେଳି ସାରିଛନ୍ତି । ଏହା ବ୍ୟତିତ ଅଗରକର ଭାରତ ପାଇଁ ୧୯୧ ଟି ଏକଦିବସୀୟ ମ୍ୟାଚ୍ ବି ଖେଳିଛନ୍ତି । ତେଣୁ ସେ ମୁଖ୍ୟ ଚୟନକର୍ତ୍ତା ପଦବିରେ ବସିବା ପାଇଁ ସବୁଠାରୁ ବଡ ଦାବିଦାର ଭାବେ ଉଭା ହୋଇଛନ୍ତି । ଏନେଇ ମଦନ ଲାଲଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ରିକେଟ ଉପଦେଷ୍ଟା କମିଟି ୫ ଜଣଙ୍କ ନାମ ସର୍ଟଲିଷ୍ଟ କରିଛି । ଏହା ପରେ ସର୍ଟଲିଷ୍ଟରେ ଥିବା ୫ ଜଣଙ୍କର ଇଣ୍ଟରଭ୍ୟୁ ହେବ । ଯାହାଙ୍କ ମଧ୍ୟରୁ ୩ ଜଣଙ୍କୁ ଚୟନ କରାଯିବ ।

କହିରଖୁ କି ବର୍ତ୍ତମାନ ବିସିସିଆଇର ଚୟନ କମିଟିରେ ସଦସ୍ୟ ଥିବା ଜତିନ ପରାଞ୍ଜୟ, ଦେବାଙ୍ଗ ଗାନ୍ଧୀ ଓ ଶରଣଦୀପ ସିଂଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଛି । ତାଙ୍କ ସ୍ଥାନରେ ପଶ୍ଚିମ ଜୋନରୁ ଅଜିତ ଅଗରକର ଓ ପୂର୍ବ ଜୋନରୁ ଶିବସୁନ୍ଦର ଦାସଙ୍କୁ ଅବସ୍ଥାପିତ କରାଯାଇପାରେ । ଏହି ଚୟନ କମିଟି ଇଂଲଣ୍ଡ ବିରୋଧରେ ହେବାକୁ ଥିବା ଘରୋଇ ମ୍ୟାଚ୍ ପୂର୍ବରୁ ତାଙ୍କର କାମ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।