କନକ ବ୍ୟୁରୋ : କୋଲକାତା ନାଇଟ ରାଇଡର୍ସକୁ ବଡ ଝଟକା । ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରୁ ବାଦ୍ ପଡିଛନ୍ତି ଆଜିଙ୍କ୍ୟ ରାହାଣେ । ଆହତ ସମସ୍ୟା କାରଣରୁ ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି ରାହାଣେ । କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରାହାଣେ ହାମଷ୍ଟ୍ରିଙ୍ଗ ଆଘାତ ଜନିତ ସମସ୍ୟା କାରଣରୁ ଚଳିତ ଆଇପିଏଲରୁ ବିଦାୟ ନେଇଛନ୍ତି । ଏନେଇ ଏକ ଭିଡ଼ିଓ ସେୟାର କରି ସୂଚନା ଦେଇଛି କେକେଆର ।

Advertisment

ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆଘାତପ୍ରାପ୍ତ ହୋଇଥିଲେ ରାହାଣେ । ବଲ ବାଜିବା ପରେ ପଡିଆରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ରାହାଣେ । ଯେଉଁଥିପାଇଁ ମ୍ୟାଚ୍ ମଝିରେ ଫିଜିଓଙ୍କୁ ପଡିଆ ମଧ୍ୟକୁ ଆସିବାକୁ ପଡିଥିଲା । ଏପରିକି ପରବର୍ତ୍ତୀ ସମୟରେ ଫିଲ୍ଡିଂ ପାଇଁ ମୈଦାନକୁ ଓହ୍ଲାଇନଥିଲେ ରାହାଣେ । ପରେ ତାଙ୍କର ସ୍କାନ କରାଯାଇଥିଲା, ଯେଉଁଥିରେ ଜଣାପଡିଥିଲା ଯେ ରାହାଣେଙ୍କ ଗୋଡରେ ଲାଗିଥିବା ଆଘାତ ଗୁରୁତର ରହିଛି । ଯେଉଁଥିପାଇଁ ତାଙ୍କୁ କିଛି ସପ୍ତାହ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ରାହାଣେ ଦଳ ଛାଡିବା ପୂର୍ବରୁ କହିଛନ୍ତି, କେକେଆର ସହ ଭଲ ମୁହୂର୍ତ୍ତ କାଟିଛି । ଜଣେ କ୍ରିକେଟର ଭାବେ ଖେଳ ଓ ଜୀବନ ବାବଦରେ ଅନେକ କିଛି ଶିଖିଛି । ସମସ୍ତ ଖେଳାଳୀ, କୋଚ୍ ଓ ଟିମ୍ ମ୍ୟାନେଜମେଣ୍ଟଙ୍କୁ ଧନ୍ୟବାଦ । ଆଶା କରୁଛି ଆମ ଟିମ୍ ପ୍ଲେ-ଅଫରେ ସ୍ଥାନ ପକ୍କା କରୁ । ଚଳିତ ଆଇପିଏଲରେ ରାହାଣେ ମାତ୍ର ୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୩୩ ରନ୍ କରିଛନ୍ତି । ସେଭଳି ବଡ ଇନିଂସ ରାହାଣେଙ୍କ ବ୍ୟାଟରୁ ଦେଖିବାକୁ ମିଳିନଥିଲା । ଏହାପୂର୍ବରୁ କୋଲକାତାର ଦ୍ରୁତ ବୋଲର ପାଟ କମିନ୍ସ ମଧ୍ୟ ଆହତ ସମସ୍ୟା ପାଇଁ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏସବୁ ଭିତରେ ରାହାଣେଙ୍କ ବଦଳ ଖେଳାଳୀ ଭାବେ କୋଲକାତା କାହାକୁ ଦଳରେ ସାମିଲ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।