କୁମ୍ବଲେ ବି କରିଥିଲେ କମାଲ: ଏକାକୀ ୧୦ ୱିକେଟ ନେଇ ଧୂଳି ଚଟାଇଥିଲେ ପାକିସ୍ତାନ ଟିମକୁ

156

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କମାଲ କରିଛନ୍ତି ନ୍ୟୁଜିଲାଣ୍ଡର ଏଜାଜ ପଟେଲ । ଏଜାଜ ଭାରତୀୟ ବଂଶୋଦ୍ଭବ ଆଉ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି । ତେବେ ନ୍ୟୁଜିଲାଣ୍ଡର ଏହି ବୋଲରଙ୍କ ଐତିହାସିକ ରେକର୍ଡ ପୂର୍ବରୁ ଜଣେ ଭାରତୀୟ କରିସାରିଛନ୍ତି । ସେ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେ ।

କ୍ରିକେଟ ଇତିହାସରେ ଆପଣ ସଚିନଙ୍କ ଶହେ ଅନ୍ତରାଷ୍ଟ୍ରିୟ ଶତକ ଦେଖିଥିବେ, ଆଉ ମୁଥୟା ମୁରଲୀ ଧରନଙ୍କ ୮୦୦ତମ ୱିକେଟ ମଧ୍ୟ ଦେଖିଥିବେ । ହେଲେ ଆମେ ଆଜି କହିବୁ ଅନିଲ କୁମ୍ବଲେଙ୍କ ସେହି ୧୦ ୱିକେଟ କଥା । ଯାହାକି ସେ ଗୋଟିଏ ଇଂନିସରେ ନେଇଥିଲେ ।

ସ୍ଥାନ ଥିଲା ଦିଲ୍ଲୀ, ଆଉ ଷ୍ଟାଡିୟମ ଥିଲା ଫିରୋଜ ଶାହ କୋଟଲା । ୧୯୯୯ ମସିହା ଫେବୃଆରୀ ୨ ତାରିଖରେ ହୋଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ୨ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ହାରିସାରିଥାଏ । ଦ୍ୱିତୀୟ ମ୍ୟାଚରେ ଭାରତ ବଦଲା ନେବା ପାଇଁ ପୂରାପୂରି ପ୍ରସ୍ତୁତ ହୋଇ ମୈଦାନକୁ ଓହ୍ଲାଇଥାଏ । ଯଦି ଏହି ମ୍ୟାଚ ପାକିସ୍ତାନ ଜିତି ଯାଇଥାନ୍ତା ତେବେ ଭାରତ ଏହି ଟେଷ୍ଟ ସିରିଜରେ ପରାସ୍ତ ହୋଇଥାନ୍ତା । ହେଲେ ଏମିତି ହେବାକୁ ଦେଇନଥିଲେ ଅନୀଲ କୁମ୍ବେଲ ।

ଫେବୃଆରୀ ୨ରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା ଦଳ । ସକଲିନ ମୁସ୍ତାକଙ୍କ ବୋଲିଂକୁ ସାମ୍ନା କରିପାରିନଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ସାଦଗୋପନ ରମେଶ ୬୦ ଓ ମହମ୍ମଦ ଆଝାରୁଦ୍ଦିନ ୬୭ କରିଥିଲେ ଫଳରେ ଦଳ ୨୫୨ ରନ କରିବାରେ ସକ୍ଷମ ହୋଇଥିଲା ।

ପାକିସ୍ତାନ ମଧ୍ୟ ତାର ପ୍ରଥମ ଇଂନିସରେ ବିଫଳ ହୋଇଥିଲା । ଏହି ଇଂନିସରେ କୁମ୍ବଲେ ନିଜ ବୋଲିଂରେ ଝଲକ ଦେଖାଇଥିଲେ । ସେ ଏହି ଇଂନିସରେ ୪ଟି ୱିକେଟ ନେଇଥିଲେ । ଏହାସହ ହରଭଜନ ସିଂ ୩, ଭେଙ୍କଟେଶ ପ୍ରସାଦ ୨ ଓ ଶ୍ରୀନାଥ ଗୋଟିଏ ୱିକେଟ ନେଇଥିଲେ । ଫଳରେ ପାକିସ୍ତାନ ମାତ୍ର ୧୭୨ ରନ କରିଥିଲା । ଏହାପରେ ଭାରତ ତାର ଦ୍ୱିତୀୟ ଇଂନସରେ ଚମତ୍କାର ଖେଳି ୩୩୯ର ବଡ ସ୍କୋର କରିଥିଲା ।

ପାକିସ୍ତାନର ଦ୍ୱିତୀୟ ଇଂନିସ ବେଳକୁ ସାମ୍ନାରେ ଥାଏ ୪୨୦ ରନର ଟାର୍ଗେଟ । ଏହି ବିଜୟ ଲକ୍ଷ୍ୟ ନେଇ ମୈଦାନ ଓହ୍ଳାଇଥିଲା ପାକିସ୍ତାନ । ଆରମ୍ଭରୁ ୧୦୧ରନର ବଡ ପାର୍ଟନରସିପ କରି ଭାରତୀୟଙ୍କୁ ଚମକାଇ ଦେଇଥିଲା ପାକିସ୍ତାନ । ହେଲେ ୨୪ ଓଭର ବେଳକୁ କୁମ୍ବଲେଙ୍କ ପ୍ରଥମ ଶିକାର ହୋଇଥିଲେ ସାହିଦ ଆଫ୍ରିଦି । ଏହାପରେ ଗୋଟିଏ ପରେ ଗୋଟିଏ ପାକିସ୍ତାନୀ ଖେଳାଳିଙ୍କ ୱିକେଟ ନେଇଯାଇଥିଲେ କୁମ୍ବଲେ । ଏହି ଇଂନିସରେ ମୋଟ ୧୦ ୱିକେଟ ନେଇ ପୂରା ପାକିସ୍ତାନ ଟିମକୁ ପୋଛି ଦେଇଥିଲେ କୁମ୍ବଲେ ।