କନକ ବ୍ୟୁରୋ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ପୁଣି ଥରେ ବିବାଦକୁ ଆସିଛନ୍ତି। ଜଣେ ସାମ୍ବାଦିକଙ୍କ ବୁମ ଛଡ଼ାଇନେବା ସହ ଖରାପ ବ୍ୟବହାର କରିଥିବାର ଭିଡିଓ ଭାଇରଲ ହୋଇଛି ।ଏହି ଭିଡିଓରେ ଯେତେବେଳେ ଅଜୟଙ୍କୁ ଲକ୍ଷ୍ମୀପୁର ଘଟଣାରେ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବାବଦରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ସାମ୍ବାଦିକମାନଙ୍କ ଉପରେ ରାଗିଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ପ୍ରଶ୍ନ ପଚାରିଥିବା ଟିଭି ସାମ୍ବାଦିକଙ୍କ ହାତରୁ ବୁମ ଛଡାଇ ଫୋନ୍ ବନ୍ଦ କରିବାକୁ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ମାମଲାରେ ଜଣେ ନିରୀହ ବ୍ୟକ୍ତିକୁ ଫସାଇ ଦିଆଯାଇଛି ।

Advertisment

ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଜଣେ ସାମ୍ବାଦିକ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ପୁଅଙ୍କ ଉପରେ ଲଗାଯାଇଥିବା ଧାରାକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ। ସେ ଏଥିରେ ରାଗିଯାଇ ବୁମ ଭିଡ଼ିନେଇଥିଲେ ଜ୍ଝ ଏହା ପରେ ସାମ୍ବାଦିକଙ୍କ ସହ ମନ୍ତ୍ରୀଙ୍କର ଯୁକ୍ତିତର୍କ ହୋଇଥିଲା। ମନ୍ତ୍ରୀ ସାମ୍ବାଦିକଙ୍କୁ ପଚାରିଥିଲେ ତୁମେ ମୋ ଠାରୁ କ’ଣ ଜାଣିବାକୁ ଚାହୁଁଛ? ଯଦି ଏସଆଇଟି ଧାରା ବଢ଼ାଇଛନ୍ତି, ତେବେ ଯାଇ ସେମାନଙ୍କୁ ପଚାର ।

ମନ୍ତ୍ରୀଙ୍କ ଏଭଳି ଦୁର୍ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଥାଉ କି ଯେ ଲକ୍ଷ୍ମୀପୁର ଖେରୀ ଘଟଣାର ଏସଆଇଟି ରିପୋର୍ଟରେ ପୁରା ଘଟଣାକୁ ଦୁର୍ଘଟଣା ନୁହେଁ ବରଂ ଏକ ଷଡଯନ୍ତ୍ର କୁହାଯାଇଥିଲା । ଏହା ସହିତ ଆଶିଷ ମିଶ୍ର ଏବଂ ଅନ୍ୟମାନଙ୍କ ଉପରେ କେତେକ ସଙ୍ଗୀନ ଧାରା ଲଗାଯାଇଥିଲା । ତେବେ ଏହି ଘଟଣାକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଦିଲ୍ଲୀ ଡକାଯାଇଥିବାର କୁହାଯାଉଛି ।