କନକ ବ୍ୟୁରୋ : କାନ୍ଦରେ ଫାଟିପଡୁଛି ଗାଁ ଦାଣ୍ଡ, ପୁଅର ମଲା ମୁହଁକୁ ଦେଖି ଘର ଲୋକ ବି ପାଗଳ ଭଳି ହେଉଛନ୍ତି । ଯେଉଁଠି ଆଜି ଭୋଜିଭାତ ହେଇ ଭିଡ ଜମିବା କଥା, ସେଠି ଆଜି ଉଠିଛି ବଢିଲା ପୁଅର କୋକେଇ । ଯାହାକୁ ନାଁ ଶବ୍ଦରେ ବର୍ଣ୍ଣନା କରିହେବ, ନା ଏ ଦୁଃଖକୁ ଦୂରେଇ ହେବ ।  ହାତରୁ ମେହେନ୍ଦି ଲିଭିନି, କିନ୍ତୁ ଲିଭି ଯାଇଛି ଜୀବନ ଦୀପ । ଅକାଳରେ ବରର ମୃତ୍ୟୁ ହେବା ପରେ ଘରକୁ ଘୋଟି ଆସିଛି ଅମା ଅନ୍ଧାର । ଆଉ ଅଗଣାରେ ଅଶୁଭ ଖବର ଦେଖି କାନ୍ଥରୁ ଲିଭା ଚାଲିଛି ଶୁଭ ସଙ୍କେତ । ଏ ପଟେ ବାହୁନି କାନ୍ଦୁଛି ନୂଆ ବୋହୂ, ସେପଟେ ତା ସିନ୍ଦୂର ପାଇଁ ସଜଡା ଚାଲିଛି କୋକେଇ ।publive-image

Advertisment

ଦୁଇ ଦିନ ତଳେ ଯେଉଁ ହାତରୁ ସିନ୍ଦୂର ପିନ୍ଧି ଜୀବନ ସାର୍ଥକ ହୋଇଥିଲା, ନୂଆ ଜୀବନକୁ ଉପଭୋଗ କରିବାର ଆଦ୍ୟପର୍ବ ଆରମ୍ଭ ହୋଇଥିଲା । ଦୁଇ ଦିନ ପରେ ସେ ଜୀବନ ଯନ୍ତ୍ରଣାମୟ ହୋଇଗଲା । ହୋମ ନିଆଁକୁ ସାକ୍ଷୀ ରଖି ଯିଏ ସାତ ଜନମ ଚାଲିବାର ଶପଥ ନେଇଥିଲା, ଠିକ୍ ଦୁଇ ଦିନ ପରେ ସିଏ ଠକି ଦେଇ ଚାଲିଗଲା । ଆଉ ଇଏ ହେଉଛି ହୃଦୟଥରା ଘଟଣାର, ସେହି ଛାତି ବତୁରା ଛବି ।publive-image

ବାଲେଶ୍ୱର ଖନ୍ତାପଡା ଥାନା ଖଡିପାହି ଗାଁର ଯୁବକ ଅଜୟଙ୍କର ଗତ ୧ ତାରିଖ ଦିନ ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା । ବିବାହ ପାଇଁ ପରିବାର ଲୋକ, ଆତ୍ମୀୟସ୍ୱଜନ ବେଶ ଖୁସି ଥିବା ବେଳେ ଶୁକ୍ରବାର ଥିଲା ସେମାନଙ୍କର ରିସେପ୍ସନ । ଭୋଜି ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଚଳଚଞ୍ଚଳ ଥିଲା ଘର । ହେଲେ ହଠାତ୍ ଖୁସିର ପର୍ବ ଫିକା ପଡିଥିଲା । ଅଜୟ ପାଣିରେ ବୁଡି ପ୍ରାଣ ହରାଇଥିବା ଖବର ଆସିଲା । ଯାହାକୁ ବିଶ୍ୱାସ କରି ହେଉନଥିଲେ ବି ଏହାହିଁ ଥିଲା ସତ୍ୟ ।

ଘର ପାଖରେ ଥିବା ଏକ ପୋଖରୀରେ ବୁଡି ଅଜୟଙ୍କ ମୃତ୍ୟୁ ହୋଇଥିବା ବେଳେ, ଶୌଚ ପାଇଁ ଯାଇ ଏପରି ଅଘଟଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ହେଲେ ତାଙ୍କ ମୃତ୍ୟୁ ହେଲା କେମିତି, ସେ କେମିତି ହଠାତ୍ ପାଣିରେ ବୁଡିଗଲେ, ତା ଏବେ ବି ଏକ ପ୍ରଶ୍ନ ଚିହ୍ନ । ତେବେ ଅଜୟ ମୃତ୍ୟୁ ଖାଲି ଗୋଟେ ପରିବାରକୁ ଦୁଃଖ ଦେଇନି, ବରଂ ଗୋଟେ ନବବଧୂ ମଥାରୁ ସିନ୍ଦୂର ଛଡେଇ ନେଇଛି । ଗୋଟେ ବୁଢୀ ମାଆର ପୂରିଲା କୋଳକୁ ଖାଲି କରିଦେଇଛି । ସଂସାର ଗଢିବା ଆଗରୁ, ମେହେନ୍ଦୀ ଲିଭିବା ଆଗରୁ, ନିଜ ସ୍ୱାମୀକୁ ହରେଇଛନ୍ତି ଏ ନବବଧୁ ।