ଏପରି ସହର, ଯେଉଁଠି ନାହିଁ ସରକାର କି ଆଇନ କାନୁନ । ରହିବା ପାଇଁ ଘରଭଡା ଦେବାକୁ ପଡେନି । ଜାଣନ୍ତୁ କେଉଁଠି ଅଛି ଏପରି ସହର

256

କନକ ବ୍ୟୁରୋ : ବିଶ୍ୱରେ ଯେତେ ବି ଦେଶ ରହିଛି, ସବୁଠି ସରକାର ରହିଛନ୍ତି । କେଉଁଠି ରାଷ୍ଟ୍ରପତି ଶାସନ ଚାଲେ ତ ଆଉ କେଉଁଠି ପ୍ରଧାନମନ୍ତ୍ରୀଙ୍କ ଶାସନ ଚାଲିଥାଏ । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି, ଯେଉଁଠି ନା ସରକାର ଅଛନ୍ତି ନା ସେଠାକାର ଲୋକେ ଦେଶ ଦୁନିଆର ଖବର ପାଆନ୍ତି । ସେମାନଙ୍କ ପାଖରେ ମୋବାଇଲ କି ଟିଭି ମଧ୍ୟ ନାହିଁ । ଟିଭି, ମୋବାଇଲ କଥା ତ ଛାଡ ଏହି ସ୍ଥାନରେ ବିଜୁଲି ସୁବିଧା ବି ନାହିଁ । ସବୁଠୁ ବଡ କଥା ହେଉଛି ଏହି ସ୍ଥାନରେ ରହିବା ପାଇଁ ଲୋକଙ୍କୁ ଜମୀ କିଣିବାକୁ ପଡେନି, କି ରହିବା ପାଇଁ ଭଡା ଦେବାକୁ ପଡେନି । ତେବେ ଆସନ୍ତୁ ଜାଣିବା କେଉଁଠି ଏପରି ସ୍ଥାନ ରହିଛି ଯେଉଁଠାରେ ଭିନ୍ନ ଏକ ଜୀବନ ବଞ୍ଚୁଛନ୍ତି ଲୋକେ ।
ସ୍ଲାବ୍ ସିଟି… ଆମେରିକାର କାଲିଫୋର୍ଣ୍ଣିଆ ସ୍ଥିତ ଏକ ସ୍ଥାନ । ଯେଉଁଠି ବନ୍ଧୁକ ଓ ଡ୍ରଗ୍ସର ଦବଦବା ରହିଛି । ମାନସିକ ସମସ୍ୟାରେ ପୀଡିତ ଲୋକେ ଏଠାକୁ ଯାଆନ୍ତି ବା ଆଇନ କାନୁନର ରକ୍ଷା ପାଇଁ ଏଠାକୁ ଲୋକେ ଯାଇଥାନ୍ତି । କାରଣ ଏହି ମରୁ ଅଞ୍ଚଳରେ ସରକାର ବା ପ୍ରଶାସନ ନାହିଁ । ଯେଉଁମାନେ ବାସହରା ବା ସମାଜରୁ ବାସନ୍ଦ, ସେହିମାନଙ୍କ ପାଇଁ ସ୍ଲାବ୍ ସିଟି ହେଉଛି ଏକମାତ୍ର ଠିକଣା ।
ତେବେ ଏକ ଟିଭି ଚ୍ୟାନେଲର ସଂଚାଳକ ବେନ୍ ଫୋଗଲ ନିଜର ଏକ କାର୍ଯ୍ୟକ୍ରମରେ ଏହି ସ୍ଲାବ୍ ସିଟିର ଖୁଲାସା କରିଥିଲେ । ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହିତ, ସେଠାକାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ । ସ୍ଲାବ୍ ସିଟିକୁ ନେଇ ଫୋଗାଲ କହନ୍ତି, ମରୁ ଅଞ୍ଚଳରେ ଥିବା ଏହି ସହରରେ ପାଣିର କୌଣସି ସୁବିଧା ନାହିଁ । ଗ୍ୟାସ୍ କିମ୍ବା ବିଜୁଳି ବ୍ୟବସ୍ଥା ବି ନାହିଁ । ୨ୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ସୈନ୍ୟଙ୍କ ଟ୍ରେନିଂ ପାଇଁ ଏହି ସ୍ଥାନ ନିର୍ମୀତ ହୋଇଥିଲା । ଏବଂ ୧୯୫୬ ମସିହାରେ ଏହାକୁ ନଷ୍ଟ ମଧ୍ୟ କରିଦିଆଯାଇଥିଲା । ସହରଟି କଂକ୍ରିଟ୍ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଥିଲା । କିନ୍ତୁ ଧିରେ ଧିରେ ଏହି ସ୍ଥାନ ନିଶାଖୋର ଏବଂ ପୂର୍ବ ସୈନ୍ୟଙ୍କ ବାସସ୍ଥଳି ପାଲଟିଲା । ଫୋଗଲ ଏମିତି କିଛି ଲୋକଙ୍କ ସହ କଥା ହୋଇଥିଲେ, ଯେଉଁମାନେ କହିଥିଲେ, ତାଙ୍କ ପାଖରେ ସମୟ ଦେଖିବା ପାଇଁ ଘଡି ନାହିଁ କି କ୍ୟାଲେଣ୍ଡର ନାହିଁ । ଏପରିକି ଦେଶ ଦୁନିଆର ଖବର ଜାଣିବା ପାଇଁ ଟିଭି ମଧ୍ୟ ନାହିଁ । ତଥାବି ଏଠାରେ ଲୋକେ ବେସ୍ ଖୁସିରେ ରହୁଛନ୍ତି । ସ୍ୱାଧୀନ ଭାବେ ଜୀବନ ନିର୍ବାହ କରୁଛନ୍ତି ।

ତେବେ ଏନେଇ ବେନ ଫୋଗଲଙ୍କ କହିବା କଥା ହେଉଛି, ଏହି ସହରରେ ବଞ୍ଚିବା ପାଇଁ ଅନେକ କଷ୍ଟ କରିବାକୁ ପଡେ କିନ୍ତୁ ଏଥିରୁ ଅନେକ କିଛି ସିଖିବାକୁ ମିଳେ । ସ୍ୱାଧୀନ ଭାବେ ବଞ୍ଚିବା ପାଇଁ ଏଭଳି ସ୍ଥାନର ଆବଶ୍ୟକତା ରହିଛି । ବାସ୍ ଆଇନ୍ କାନୁନର ରହିବା ଜରୁରୀ ।