କନକ ବ୍ୟୁରୋ : ୨୦୧୬ ମସିହା ପାନାମା ପେପର୍ସ ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀସ୍ଥିତି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଅନୁଯାୟୀ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୪୮ ବର୍ଷୀୟା ବୋହୂଙ୍କୁ ଇଡିର ତଦନ୍ତକାରୀ ଅଧିକାରୀମାନେ ୫ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛନ୍ତି । କଳା ପୋଷାକ ଏବଂ ମୁହଁରେ ମାସ୍କ ପିନ୍ଧି ସେ ଇଡି କାର୍ଯ୍ୟାଳୟରୁ ସୋମବାର ରାତିରେ ବାହାରକୁ ବାହାରୁ ଥିବା ଭିଡିଓ ଦେଖିବାକୁ ମିଳିଛି । ପୂର୍ବରୁ ଇଡି ଏହି ମାମଲାରେ ଦୁଇଥର ଐଶ୍ବର୍ଯାଙ୍କୁ ଡକାଇଥିଲେ ହେଁ ସେ ହାଜର ହେବାକୁ ସମୟ ମାଗିଥିଲେ ।

Advertisment

ଐଶ୍ବର୍ଯ୍ୟା ତାଙ୍କ ଟଙ୍କାକୁ ବ୍ରିଟିଶ ଭର୍ଜିନ ଆଇଲାଣ୍ଡରେ ଏକ କମ୍ପାନିରେ ରଖିଥିବା ନେଇ ଯାହା ଅଭିଯୋଗ ରହିଛି । ତାହା ଉପରେ ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଛନ୍ତି । ୨୦୧୭ ମସିହାରେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ରିଜର୍ଭ ବ୍ୟାଙ୍କର ଏଲ୍‌ଆର୍‌ଏସରେ ୨୦୦୪ ମସିହାରୁ ବିଦେଶରୁ ବଚ୍ଚନ ପରିବାରକୁ କେତେ ଟଙ୍କା ଆସିଥିଲା ତାହାର ସୂଚନା ଇଡି ମାଗିଥିଲା । ଗତ ୧୫ ବର୍ଷର ସୂଚନା ଐଶ୍ବର୍ଯ୍ୟା ଇଡି ନିକଟରେ ପୂର୍ବରୁ ଦାଖଲ କରିଥିଲେ । ଏଥିସହିତ ବିଦେଶରେ ସ୍ଥାପିତ ଆମିକ୍‌ ପାର୍ଟନର୍ସ ନାମକ ‌ଏକ କମ୍ପାନିରେ ଐଶ୍ବର୍ଯ୍ୟା ନିର୍ଦ୍ଦେଶକ ରହିଥିବା ମଧ୍ୟ କୁହାଯାଉଛି । ପାନାମାଭିତ୍ତିକ ଲ’ ଫାର୍ମ ମୋସାକ୍ ଫନ୍‌ସେକା ଉକ୍ତ କମ୍ପାନିର ପଞ୍ଜୀକରଣ କରିଛି । ଏହାର ପେଡ୍‌ ଅପ୍‌ କ୍ୟାପିଟାଲ ବା ପ୍ରଦତ୍ତ ପୁଞ୍ଜି ୫୦ ହଜାର ଡଲାର ରହିଛି । ତେବେ ଐଶ୍ବର୍ଯ୍ୟା ଉକ୍ତ କମ୍ପାନିକୁ ୨୦୦୯ ମସିହାରେ ଓହରି ଆସିଥିଲେ ଏବଂ ଦୁବାଇର ବିକେଆର ଆଡୋନିସ୍ ଉକ୍ତ କମ୍ପାନିକୁ କିଣିଥିଲା । ସୂଚନାଯୋଗ୍ୟ ଲିକ୍‌ ହୋଇଥିବା ପାନାମା ପେପର୍ସରେ ଭାରତର ପାଖାପାଖି ୩୦୦ ରାଜନେତା, ଅଭିନେତା, ଶିଳ୍ପପତି ଓ ଧନୀବ୍ୟକ୍ତିଙ୍କ ନାମ ରହିଛି ।

ଐଶ୍ୱର୍ଯ୍ୟାଙ୍କୁ ୫ ପ୍ରଶ୍ନ : 

- କେଉଁ କେଉଁ କମ୍ପାନୀର ନିର୍ଦ୍ଦେଶକ ପଦରେ ରହିଥିଲେ ? 
- ଅମିତାଭ ବଚ୍ଚନ ଯେଉଁ କମ୍ପାନୀର ନିର୍ଦ୍ଦେଶକ ଥିଲେ ଏବଂ ସେହି କମ୍ପାନୀର ସେୟାର କାହିଁକି ବିକ୍ରି କରାଗଲା ? 
- ୨୦୦୮ ପରେ କମ୍ପାନୀ କାହିଁକି ବନ୍ଦ କରାଗଲା ? 
- ଆର୍ଥିକ କାରବାର ପାଇଁ ଆପଣଙ୍କ କମ୍ପାନୀ ଆରବିଆଇଠାରୁ ଅନୁମତି ନେଇଥିଲା କି ? 
- ବିବାହ ପରେ କମ୍ପାନୀକୁ କାହିଁକି ବନ୍ଦ କରାଗଲା , ୫୦ ହଜାର ଡଲାରର କମ୍ପାନୀକୁ ୧୫୦୦ ଡଲାରରେ କଣ ପାଇଁ ବିକ୍ରି ହେଲା ?