ଏୟାରଟେଲ ଦେଲା ଗ୍ରାହକଙ୍କୁ ବଡ ଭେଟି । ଏଣିକି ଯେକୌଣସି ନେଟୱର୍କକୁ କରିହେବ ଅନଲିମିଟେଡ ଫ୍ରୀ କଲ୍, ଜାଣନ୍ତୁ ନୂଆ ଟ୍ୟାରିଫ୍ ପ୍ଲାନରେ କଣ ସୁବିଧା ପାଇବେ ଗ୍ରାହକ ।

7,971

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସିଖବର । ଗ୍ରାହକଙ୍କ ଅସନ୍ତୋଷ ଦେଖି କମ୍ପାନି ନିଜର ଟ୍ୟାରିଫ୍ ପ୍ଲାନକୁ ପୁଣିଥରେ ବଦଳାଇଛି । ଏଣିକି ଏୟାରଟେଲ ନେଟୱର୍କରୁ ଅନ୍ୟ ନେଟୱର୍କକୁ ଅସୀମିତ କଲିଂ ସୁବିଧା ପାଇପାରିବେ ଗ୍ରାହକ । କାରଣ କମ୍ପାନି ଫେୟାର ୟୁସେଜ ପଲିସି ଲିମିଟ ବା ଏଫୟୁପି ଲିମିଟ ହଟାଇଦେଇଛି । ଏନେଇ ଟ୍ୱିଟ୍ କରି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଠାରୁ ଗ୍ରାହକ ଏହାର ସୁବିଧା ପାଇପାରିବେ ବୋଲି ଏୟାରଟେଲ ପକ୍ଷରୁ କୁହାଯାଇଛି ।

ଏୟାରଟେଲ ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଆମେ ଆପଣଙ୍କ କଥା ଶୁଣିଲୁ । ଏବଂ ସେଥିପାଇଁ ଏଥିରେ ପରିବର୍ତ୍ତନ କରୁଛୁ । ଡିସେମ୍ବର ୭ରୁ ଆପଣ କମ୍ପାନିର ଅନଲିମିଟେଡ ପ୍ଲାନରେ ଭାରତର ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲ୍ କରିପାରିବେ ।  ଆଉ ଏଥିପାଇଁ କୌଣସି ସର୍ତ୍ତ ରହିବନି । ଆଉ ଏହି ଟ୍ୱିଟ୍ ଏବେ ଏୟାରଟେଲ ଗ୍ରାହକଙ୍କ ମନରେ ଖୁସି ଭରିଦେଇଛି ।

ଏହାସହ ନୂଆ ୩ଟି ଟ୍ୟାରିଫ ପ୍ଲାନର ମଧ୍ୟ ଘୋଷଣା କରିଛି ଏୟାରଟେଲ । ୨୧୯ ଟଙ୍କାର ଟ୍ୟାରିଫ୍ ପ୍ଲାନରେ ଗ୍ରାହକ ଅନଲିମିଟେଡ କଲ ସହ ଦିନକୁ ୧ ଜିବି ଡାଟାର ଲାଭ ଉଠାଇପାରିବେ । ଯାହାର ଅବଧି ୨୮ ଦିନ ରହିବ । ସେହିଭଳି ୩୯୯ ପ୍ଲାନରେ ଦୈନିକ ୧.୫ ଜିବି ଡାଟା, ୪୪୯ ପ୍ଲାନରେ ଦୈନିକ ୨ ଜିବି ଡାଟା ସହ ଅନଲିମିଟେଡ କଲର ସୁବିଧା ପାଇବେ ଗ୍ରାହକ । ଆଉ ଏହି ପ୍ଲାନର ଅବଧି ୫୬ ଦିନ ରହିବ ।

ଏହାପୂର୍ବରୁ ଏୟାରଟେଲ ନିଜର ପ୍ରିପେଡ ଟ୍ୟାରିଫ୍ ପ୍ଲାନରେ କିଛି ପରିବର୍ତ୍ତନ ଆଣିଥିଲା । ଟ୍ୟାରିଫ୍ ପ୍ଲାନର ଦର ବୃଦ୍ଧି ସହ ଏଫୟୁପି ଲାଗୁ କରିଥିଲା । ଯାହାଦ୍ୱାରା ଏୟାରଟେଲରୁ ଏୟାରଟେଲ ଅନଲିମିଟେଡ କଲର ସୁବିଧା ରହିଥିବା ବେଳେ ଅନ୍ୟ ନେଟୱର୍କକୁ ସୀମିତ ମିନିଟର କଲ ସୁବିଧା ଦିଆଯାଉଥିଲା । ଆଉ ଏହି ସୀମିତ ମିନିଟ ଶେଷ ହେବା ପରେ ଅନ୍ୟ ନେଟୱର୍କକୁ କଲ୍ ପାଇଁ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡିଥାନ୍ତା । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ କମ୍ପାନିର ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଥିଲେ ୟୁଜର୍ସ । ଆଉ ଶେଷରେ ଗ୍ରାହକଙ୍କ ମନ ଖୁସି କରିବାକୁ ଏଫୟୁପି ଲିମିଟ୍ ହଟାଇ ଦେଇଛି ।