କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଜାତୀୟ ମୁଦ୍ରୀକରଣ ଯୋଜନାରେ ରହିଛି ଭୁବନେଶ୍ୱର ବିମାନବନ୍ଦର ଓ ପାରାଦୀପ ବନ୍ଦର । ସୋମବାର ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନ୍ୟାସନାଲ ମନିଟାଇଜେସନ ପ୍ଲାନ ବା ଜାତୀୟ ସଂପତି ସୂତ୍ରରୁ ପାଣ୍ଠି ଯୋଗାଡ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନା ଆଧାରରେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଅ-ବ୍ୟବହୃତ ସଂପତି ବିକ୍ରି ହେବ ।
ସେହିପରି ନୂତନ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘରୋଇ ନିବେଶକୁ ଆକୃଷ୍ଟ କରାଯିବ । ବିକ୍ରି କିମ୍ବା ଘରୋଇ ଭାଗିଦାରିରେ ବିକାଶ ହେବାକୁ ଥିବା ସଂପତି ମଧ୍ୟରେ ୩୧ଟି ବନ୍ଦର, ୨୫ଟି ବିମାନବନ୍ଦର, ୨ଟି ଜାତୀୟ ଷ୍ଟାଡିୟମ ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି । ସେହିପରି କେତେକ ହୋଟେଲରୁ ମଧ୍ୟ ପୁଞ୍ଜି ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଦେଇଥିଲା ନୀତି ଆୟୋଗ ।
- ଘରୋଇ ସହଭାଗିତାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି
- ଦେଶର ଅନ୍ୟ ୨୪ଟି ବିମାନବନ୍ଦର ସହ ଭୁବନେଶ୍ୱର ବିମାନବନ୍ଦରର ହେବ ଘରୋଇ କରଣ
- ପ୍ରଥମ ଦଫାରେ ଅନ୍ୟ ୫ଟି ବିମାନବନ୍ଦର ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ସହ ଭୁବନେଶ୍ୱ ବିମାନବନ୍ଦରର ବିକାଶ ୨୦୨୨ ସୁଦ୍ଧା କରାଯିବ
- ପିପିପି ମୋଡରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ବିକାଶ ପାଇଁ ନିବେଶ ହେବ ୧୩ ହଜାର ୯୪୫ କୋଟି
- ମୁଦ୍ରୀକରଣ ଜରିଆରେ ଦେଶର ଅନ୍ୟ ୩୦ଟି ବନ୍ଦର ସହ ପାରାଦୀପ ବନ୍ଦରର ମଧ୍ୟ ଅଧିକ ପୁଞ୍ଜି ନିବେଶ କରିବେ କେନ୍ଦ୍ର ସରକାର
- ୧୪ ହଜାର ୪୮୩ କୋଟି ଟଙ୍କା ଖର୍ଚ୍ଚ କରି ପାରାଦୀପ ବନ୍ଦରର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି
- ୨୦୨୨ରୁ ୨୦୨୫ ମଧ୍ୟରେ ୨ଟି ପ୍ରକଳ୍ପ ମାଧ୍ୟମରେ ପାରାଦୀପ ବନ୍ଦର ଅଧିକ ବିକଶିତ ହେବ
- ଆଇଟିଡିସି ଅଧିନରେ ଥିବା ଭୁବନେଶ୍ୱରର ହୋଟେଲ କଳିଙ୍ଗ-ଅଶୋକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକା ସଂସ୍ଥାକୁ ଦିଆଯିବ
- କ୍ଷତିରେ ଚାଲୁଥିବା ପୁରୀର ନିଳାଚଳ ହୋଟେଲରୁ ପୁଞ୍ଜି ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର
- ଏହି ହୋଟେଲର ୮୯ ପ୍ରତିଶତ ସେୟାର କେନ୍ଦ୍ର ଓ ୧୧ ପ୍ରତିଶତ ରାଜ୍ୟ ପାଖରେ ରହିଛି