ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଅଜଣା ନମ୍ବରରୁ ଫୋନ କରି ଧମକ ଦେଉଥିବା ଦୁର୍ବୃତ୍ତଗିରଫ । ଗତ ୨୩ ତାରିଖ ଦିନ କେହି ଜଣେ ପରିଡା ବାବୁ ନାମକ ବ୍ୟକ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ଅଫିସ ଲ୍ୟାଣ୍ଡ ଲାଇନ ଫୋନକୁ କଲ କରି ଧମକ ଦେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଗତ କାଲି ବିଳମ୍ବିତ ରାତ୍ରିରେ ପରିଡା ନୁହେଁ ବରଂ ବସନ୍ତ ପୃଷ୍ଟି ନାମକ ବ୍ୟକ୍ତିକୁ କମିଶନରେଟ ପୋଲିସ ଗିରଫ କରିଛି । ଗତ ୨୩ ତାରିଖରୁ ବାରମ୍ବାର ଏଭଳି ଧମକପୂର୍ଣ୍ଣ ଫୋନ ଆସିବାରୁ ଏନେଇ ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏୟାରଫିଲ୍ଡ ଠାରେ ଲିଖିତ ଅଭିଯୋଗ କରିଥିଲେ । ଦୁର୍ବୃତ୍ତ ଜଣକ ଫୋନ୍ କରି କହୁଥିଲା, “ହ୍ୟାଲୋ ମୁଁ ପରିଡା କହୁଛି ମୋ ଗଞ୍ଜେଇ ଅଖାଟି ମୁମ୍ବାଇ ଚାଲାଣ ହେବ ନ ହେଲେ ବିମାନବନ୍ଦରକୁ ବୋମା ପକେଇ ଉଡାଇଦେବି । ମୁଁ ଲୋକାଲ ଟୋକା ମୋ ଗଞ୍ଜେଇ ଅଖା କେମିତି ଯିବ କେଉଁଥିରେ ଯିବ ସେ କଥା ତୁମେ ବୁଝିବ ।” ଏଭଳି କିଛି ଧମକ ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ନଥିବା ସମୟରେ ତାଙ୍କ ପିଏଙ୍କୁ କହିଥିଲା ଏହି ବ୍ୟକ୍ତି । ତେବେ ୭୮୭୩୬୦୫୯୩୩ ନମ୍ବରରୁ ବାରମ୍ବାର କଲ କରି ଧମକ ଦେଉଥିଲା ପରିଡା ନୁହେଁ ପୃଷ୍ଟି ବାବୁ । ଏହି ଅଜଣା ନମ୍ବର କଲଟିକୁ ଟ୍ରାକ କରି ଶେଷରେ ଦୁର୍ବୃତ୍ତକୁ ଗିରଫ କରିଛି ପୋଲିସ ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ପୂର୍ବରୁ ବିମାନବନ୍ଦର ଉଡାଇ ଦେବା ଧମକ ପୁଲିସର ଚିନ୍ତାର କାରଣ ବଢ଼ାଇଥିଲା । ଯାହାକୁ ନେଇ ପ୍ରଧାମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଗୋଟି ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ କମିଶନରେଟ ପୋଲିସ ଖଣ୍ଡଗିରି ଅଞ୍ଚଳର ସମସ୍ତ ଅଞ୍ଚଳ ଛାନଭିନ୍ କରି ଶେଷରେ ପ୍ରକୃତ ଖଳନାୟକକୁ ଗିରଫ କରିଛନ୍ତି । କେବଳ ବିମାନବନ୍ଦରକୁ ଉଡେଇଦେବା ଧମକ ନୁହେଁ ବରଂ ପୂର୍ବରୁ ବସନ୍ତ ପୁଲିସ କଣ୍ଟ୍ରୋଲ ରୁମ, ଓ ଅଗ୍ନିଶମ ମୁଖ୍ୟାଳୟକୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ରେକର୍ଡ ମଧ୍ୟ ରହିଛି ବସନ୍ତଙ୍କ ନାଁରେ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ବସନ୍ତ ଜଣେ ମାନସିକ ରୋଗୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।