କଳିଙ୍ଗ ହସ୍ପିଟାଲରୁ ବିମାନବନ୍ଦର, ମାତ୍ର ୮ ମିନିଟରେ ୯ କିଲୋମିଟର ରାସ୍ତା ଅତିକ୍ରମ କଲା ଆମ୍ବୁଲାନ୍ସ । ଲୋକଙ୍କ ଟଙ୍କା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବାକୁ ସକ୍ଷମ ହେଲେ ଅଭିଷେକ ।

552

କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ବର୍ଷୀୟ ଅଭିଷେକ ମହାପାତ୍ରଙ୍କୁ ଇସିଏମଓ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି ।

ନାଲକୋ ଛକ । କଳିଙ୍ଗ ହସ୍ପିଟାଲରୁ ବାହାରିଥିଲା ଆମ୍ବୁଲାନ୍ସ । ଏୟାରପୋର୍ଟ ଅଭିମୁଖେ, ଆଗକୁ ମାଡ଼ି ଚାଲିଲା ପବନ ବେଗରେ ।

ଜୟଦେବ ବିହାର । ଜୀବନ ସହ ସଂଗ୍ରାମ କରୁଥିବା ଅଭିଷେକଙ୍କୁ ନେଇ ବଢ଼ିଚାଲିଥିଲା, ଏକ ସ୍ୱତନ୍ତ୍ର ଡାକ୍ତରୀଦଳ । ଆଉ ଆମ୍ବୁଲାନ୍ସର ଠିକ ପଛରେ ପଛରେ ଥାନ୍ତି ଆମ ପ୍ରତିନିଧି ।

ରାଜଭବନ ଛକ । ରାଜଭବନ ଛକ ଅତିକ୍ରମ କରି ଯେତେବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପ୍ରବେଶ କଲା ଅଭିଷେକଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ସେଠି ପ୍ରସ୍ତୁତ ରହିଥିଲେ ପୁରା ଟିମ୍ ।

ଏୟାରପୋର୍ଟ ଛକ । ନାଲକୋ ଛକ କଳିଙ୍ଗ ହସ୍ପିଟାଲରୁ ବିମାନବନ୍ଦର, ୮ କିଲୋମିଟର ରାସ୍ତାକୁ ପ୍ରାୟ ୭ ମିନିଟରେ ଅତିକ୍ରମ କରିଥିଲା ଆମ୍ବୁଲାନ୍ସ ।

୨୨ ଦିନ ହେଲା ଭୁବନେଶ୍ୱରରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିଷେକ ମହାପାତ୍ରଙ୍କ ଅବସ୍ଥା ଦିନକୁ ଦିନ ବିଗିଡି ଆସୁଥିଲା । ଏଥିପାଇଁ ଅଭିଷେକଙ୍କ ଇକମୋ ଚିକିତ୍ସାର ପରାମର୍ଶ ଦେଇଥିଲେ ଡାକ୍ତର । ଆଉ ଇକମୋ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଲକାତାକୁ ନିଆଯାଇଛି ।

ସାବିତ୍ରୀ ଉଷା ପାଇଁ ପ୍ରତି ସଧବା, ପ୍ରସ୍ତୁତ ହେଉଥିବା ବେଳେ ଅଭିଷେକଙ୍କ ପତ୍ନୀ, ସ୍ୱାମୀର ଜୀବନ ବଂଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି । ମାତ୍ର ଗୋଟିଏ ମାସ ତଳେ ଅଭିଷେକଙ୍କୁ ଜୀବନ ସାଥି ଭାବେ ବାଛିଥିଲେ ମୌସୁମୀ । କିନ୍ତୁ ପ୍ରଥମ ସାବିତ୍ରୀ ଉଷା କରିବା ସମୟରେ ଏବେ ସ୍ୱାମୀ ହସ୍ପିଟାଲ ବେଡରେ ।

ଜଣେ ମଧ୍ୟବିତ ପରିବାରର ପୁଅ ପାଇଁ ଇକମୋ ଭଳି ବ୍ୟୟବହୁଳ ଚିକିତ୍ସା ଯୋଗାଇ ଦେବା କୌଣସି ସ୍ୱପ୍ନଠୁ କମ୍ ନୁହେଁ । କାରଣ, ଚିକିତ୍ସା ପାଇଁ ଦରକାର ହେଉଛି ଲକ୍ଷ ଲକ୍ଷ ଟଙ୍କା । ଅଭିଷେକଙ୍କ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଆଉ କ୍ରାଉଡ ଫଣ୍ଡିଂ ଜରିଆରେ ଅର୍ଥ ସଂଗ୍ରହ କରୁଛନ୍ତି ପରିବାର ଓ ସାଙ୍ଗସାଥୀ । ବର୍ତମାନ ସୁଦ୍ଧା ଅଭିଷେକଙ୍କ ଚିକିତ୍ସା ପାଇଁ ପ୍ରାୟ ୩୧ ଲକ୍ଷ ଟଙ୍କା ଯୋଗାଡ ହୋଇସାରିଲାଣି । ହେଲେ ଆଗକୁ ଆହୁରି ବାଟ ଯିବାକୁ ହେବ ।

ବିବାହର ମାତ୍ର ୮ ଦିନ ପରେ ଅସୁସ୍ଥ ହୋଇଥିଲେ ଅଭିଷେକ । ଏହା ପରଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ଜଟିଳ ସମୟରେ ପୂରା ପରିବାର ଲୋକଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି । ଆଶା କରିବା ଅଭିଷେକ, ଲୋକଙ୍କ ସହାୟତା ପାଇବେ ଏବଂ ସୁସ୍ଥ ହୋଇ ଘରକୁ ଫେରିଆସିବେ ।