ବାୟୁସେନାରେ ସାମିଲ ହେଲା ‘ବାହୁବଳୀ’: ରାଫେଲ ପାଇଁ ଅମ୍ବାଲା ଏୟାର ଫୋର୍ସ ଷ୍ଟେସନର ସର୍ବଧର୍ମ ପୂଜା ସହ ଆକର୍ଷଣୀୟ ଏୟାର ସୋ’; ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଲେ,ସେନାର ଶକ୍ତି ବଢାଇବ ରାଫେଲ

ଲଗାତର ୧୦ ଘଂଟା ଉଡି ଶତ୍ରୁ ପକ୍ଷକୁ ଦେଇପାରିବ ମାତ୍

162

କନକ ବ୍ୟୁରୋ: ଆଜିର ଦିନ ଭାରତୀୟ ବାୟୁସେନା ପାଇଁ ଐତିହାସିକ ହୋଇ ରହିବ । କାରଣ ଆନୁଷ୍ଠାନିକ ଭାବେ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ । ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ ମନ୍ତ୍ରପାଠ କରି ରାଫେଲକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ ଉପସ୍ଥିତ ରହିଥିଲେ । ଭାରତ ଓ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ତଥା ଅଧିକାରୀଙ୍କ ଉପସ୍ଥିତିରେ ସଂପନ୍ନ ହୋଇଥିଲା ସର୍ବଧର୍ମ ପୂଜା । ଭାରତୀୟ ବାୟୁସେନାରେ ରାଫେଲର ସାମିଲ ହେବା ପରେ ଏହାର ବଳ ବଢିବ ।

ପ୍ରଥମ ପର୍ଯ୍ୟାୟରେ ଫ୍ରାନସ୍ରୁ ଆସିଛି ୫ଟି ରାଫେଲ ଯୁଦ୍ଧ ବିମାନ । ଏହାକୁ ଆଜି ବାୟୁସେନାରେ ବିଦ୍ଧିବଦ୍ଧ ଭାବେ ସାମିଲ କରାଇ ଭାରତୀୟ ବାୟୁସେନାର ବଳକୁ ବହୁଗୁଣ କରିଦେଇଛନ୍ତି ଭାରତ ସରକାର । ଅମ୍ୱାଲା ଏୟାର ବେସରେ ରାଫେଲ୍ ଭାରତୀୟ ବାୟୁସେନାରେ ସାମିଲ ହୋଇ ଆଜିର ଦିନକୁ ଭାରତର ପ୍ରତିରକ୍ଷା ଇତିହାସରେ ଐତିହାସିକ କରିଦେଇଛି । କାରଣ ବର୍ତମାନ ଭାରତ ଏହାର ପଡୋଶୀ ଦେଶ ସହିତ ସମୀ ବିବାଦ ଦେଇ ଗତି କରୁଛି । ଗୋଟିଏ ପଟେ ଲଦାଖ ସୀମାରେ ଚୀନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ପାକିସ୍ତାନ ପଟେ ମଧ୍ୟ ସୀମାରେ ଲାଗି ରହିଛି ଉତେଜନା । ଏହାରି ମଧ୍ୟରେ ଶତ୍ରୁ ଦେଶକୁ ସାବାଡ୍ କରିବାକୁ ଭାରତୀୟ ବାୟୁସେନାରେ ରାଫେଲର ଆନୁଷ୍ଠାନିକ ସାମିଲ ହେବା, ଶତ୍ରୁ ଦେଶଙ୍କ ପାଇଁ କଡା ଚେତାବନୀ ହୋଇଛି ।

ଭାରତୀୟ ଆକାଶରେ ବାୟୁସେନାର ବାହୁବଳି । ଏବେ ଭାରତୀୟ ଆକାଶରେ ରାଜ କରିବ ରାଫେଲ୍ । ଅଂବାଲା ଏୟାର ବେସରେ ଆଜି ବାୟୁସେନାର ସବୁଠାରୁ ଶକ୍ତିଶାଳୀ ଲଢୁଆ ଯୁଦ୍ଧ ବିମାନ ରାଫେଲ୍ ସାମିଲ ହେବା ଅବସରରେ ଆୟୋଜନ ହୋଇଥିଲା ଏୟାର ସୋ । ଦେଖିବାକୁ ଉପସ୍ଥିତ ଥିଲେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଫ୍ରାନ୍ସ ରକ୍ଷା ମନ୍ତ୍ରୀ. ଭାରତର ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ । ଏହା ସହିତ ବାୟୁସେନାର ଅଧିକାରୀମାନେ ମଧ୍ୟ ରାଫେଲର ପ୍ରଥମ ଉଡାଣ ସହ ଶକ୍ତି ପ୍ରଦର୍ଶନ ଦେଖିଛନ୍ତି ।

ଅଂବାଲା ଏୟାର ବେସରେ ୨୦ ମିନିଟରୁ ଅଧିକ ସମୟ ଧରି ଶକ୍ତି ପ୍ରଦର୍ଶନ କରିଥିଲା ରାଫେଲ୍ ଯୁଦ୍ଧ ବିମାନ । କଳା କୌଶଳରେ ଆଖି ଲାଖି ଯାଇଥିଲା ସମସ୍ତଙ୍କର । ଶବ୍ଦ ଠାରୁ ଅଧିକ ବେଗରେ ଗତି କରି , ଆକାଶର ଛାତି ଚିରି , ବିଭିନ୍ନ ଦିଗକୁ ବୁଲି ଯେଉଁ ଭଳି ଆକାଶରେ କଳାବାଜି ପ୍ରଦର୍ଶନ କରିଥିଲା ୫ ରାଫେଲ୍ ବିମାନ , ତାହା ଥିଲା ଶତ୍ରୁ ଦେଶ ଗୁଡିକ ପାଇଁ ବଡ ଚେତାବନୀ । ଏହି ପରେ ବାୟୁସେନାର ପରମ୍ପରା ଅନୁସାରେ ରାଫେଲ୍ ଯୁଦ୍ଧ ବିମାନ ଗୁଡିକୁ ଦିଆଯାଇଥିଲା ୱାଟର ସାଲ୍ୟୁଟ୍ । କୌଣସି ସମୟରେ ଯେତେବେଳେ ବାୟୁସେନାରେ କୌଣସି ଯୁଦ୍ଧ ବିମାନର ସାମିଲ କରାଯାଇଥାଏ, ସେତେବେଳେ ଏହାର ସ୍ୱାଗତ ସମ୍ମାନ ପୂର୍ବକ ପ୍ରଦାନ କରାଯାଇଥାଏ ୱାଟର ସାଲ୍ୟୁଟ୍ ।
ଦୀର୍ଘ ବର୍ଷର ପ୍ରତିକ୍ଷା ଶେଷ ହୋଇଛି । ଭାରତୀୟ ବାୟୁସେନାରେ ଏକାଥରକେ ସାମିଲ ହୋଇଛି ୫ଟି ରାଫେଲ୍ ଯୁଦ୍ଧ ବିମାନ । ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି ଏହି ରାଫେଲ୍ ଯୁଦ୍ଧ ବିମାନ ଭାରତୀୟ ପ୍ରତିରକ୍ଷା ବିଭାଗରେ ସାମିଲ ହେବା ଭାରତ ଓ ଫ୍ରାନ୍ସର ସଂପର୍କକୁ ସ୍ପଷ୍ଟ କରିଛି । ଏହା ଏବେ ଶତ୍ରୁ ଦେଶ ଗୁଡିକ ପାଇଁ ସୀମାରେ ଦେବ କଡା ବାର୍ତା । ଭାରତର ସୀମା ଆଡକୁ ଆଖି ଦେଖାଉ ଥିବା ଶତ୍ରୁକୁ ଏଥର କଡା ଭାଷାରେ ଜବାବ ଦେବାରେ ସମର୍ଥ ହେବ ରାଫେଲ୍ ।