କନକ ବ୍ୟୁରୋ : ପ୍ରୋଟକଲରେ ଗୁରୁତର ତୃଟି କରି ଏକ ବିମାନ ଗୁରୁବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କୁ ନଆଣି ଏୟାର ଏସିଆର ଏକ ବିମାନ କେମ୍ପାଗୌଡା ବିମାନ ବନ୍ଦରରୁ ଉଡାଣ ଭରିଥିଲା । ରାଜ୍ୟପାଳ ଏୟାର ପୋର୍ଟରେ ବିମାନକୁ ଅପେକ୍ଷା କରିଥିବା ବେଳେ ଏୟାର ଏସିଆର ଏକ ବିମାନ ରାଜ୍ୟପାଳଙ୍କୁ ନ ଆଣି ଫେରିଆସିଥିଲା । ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ । ସୂଚନା ମୁତାବକ ରାଜ୍ୟପାଳ ଗୁରୁବାର ଦିନ ହାଇଦ୍ରାବାଦ ଯିବା ପାଇଁ କେମ୍ପାଗୌଡା ବିମାନବନ୍ଦରରେ ଅପେକ୍ଷା କରିଥିଲେ ।

Advertisment

ସୂତ୍ର ସୂଚନା ମୁତାବକ ଏୟାର ଏସିଆର ବିମାନ କେମ୍ପାଗୌଡା ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟପାଳଙ୍କ କର୍ମଚାରୀମାନେ ବିମାନ ଭିତରେ ରାଜ୍ୟପାଳଙ୍କ ଜିନିଷପତ୍ର ରଖିଦେଇଥିଲେ । ଏହାସହ ବିମାନବନ୍ଦର ଅଧିକାରୀଙ୍କୁ ସୂଚନା ଦେଇଥିଲେ କି ରାଜ୍ୟପାଳ କିଛି ସମୟ ବିଳମ୍ବରେ ପହଂଚିବେ । ହେଲେ ରାଜ୍ୟପାଳ ଭିଆଇପି ଲାଉଞ୍ଜରେ ପହଂଚିବା ବେଳକୁ ବିମାନଟି ଉଡାଣ ଭରିସାରିଥିଲା । ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ଏହାକୁ ପ୍ରୋଟୋକଲର ଉଲଙ୍ଘନ କହି ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ । ସୂତ୍ର ସୂଚନା ମୁତାବକ ରାଜ୍ୟପାଳ ୯୦ ମିନିଟ୍ ବିଳମ୍ବରେ ପରବର୍ତ୍ତୀ ବିମାନରେ ହାଇଦ୍ରାବାଦ ଯାଇଥିଲେ ।

ଏନେଇ ଏୟାରଏସିଆ ତରଫରୁ ଏକ ବୟାନ ଜାରି କରାଯାଇ ଦୁଃଖ ପ୍ରକାଶ କରାଯାଇଛି । ଏୟାର ଲାଇନ୍ସ ତରଫରୁ କୁହାଯାଇଛି କି, ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଂଚ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମ୍ପାନୀ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି ।