କରୋନା କାଳରେ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା । ବିମାନ ଟିକେଟ୍ ଉପରେ ୧୬ ପ୍ରତିଶତ ଦାମ ବଢାଇଲେ କେନ୍ଦ୍ର ସରକାର । ଜୁନ୍ ପହିଲାରୁ ଲାଗୁହେବ ନୂଆଦର

418

କନକ ବ୍ୟୁରୋ : ବିମାନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପକେଟ ଉପରେ ଏବେ ମହଙ୍ଗା ମାଡ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରୋନା କାଳରେ ବି ବିମାନ ଟିକେଟର ଦାମ ବୃଦ୍ଧି କରାଯାଇଛି । ବୃଦ୍ଧି ହୋଇଥିବା ନୂଆଦର ଜୁନ୍ ମାସ ପହିଲାରୁ ଲାଗୁ ହେବ ବୋଲି କୁହାଯାଇଛି । କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ଅଲଗା ଅଲଗା ସମୟରେ ଚାଲୁଥିବା ବିମାନର ଟିକେଟ ଦାମ ୧୩ ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ମନ୍ତ୍ରଣାଳୟର ସୂଚନା ମୁତାବକ ୪୦ ମିନିଟ୍ ଉଡାଣ କରୁଥିବା ଯାତ୍ରୀଙ୍କ ପାଇଁ ଟିକେଟର ଦାମ ୨୩ ଶହ ଟଙ୍କାରୁ ବୃଦ୍ଧି କରାଯାଇ ୨୬ ଶହ ଟଙ୍କା କରାଯାଇଛି । ସେହିଭଳି ୪୧ ରୁ ୬୦ ମିନିଟ ଉଡାଣ କରୁଥିବା ବିମାନର ଟିକେଟ ୨୯ ଶହ ଟଙ୍କାରୁ ୩୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।

କରୋନା ମହାମାରୀ ପାଇଁ ଏଭିଏସନ୍ ସେକ୍ଟରରେ କ୍ଷତି ହୋଇଛି । ସେଣ୍ଟର ଫର ପେସିଫିକ୍ ଏଭିଏସନ୍ (ସିଏପିଏ) ର ଆକଳନ ମୁତାବକ ଗତବର୍ଷ ଏହି ସେକ୍ଟରେ ୬ ରୁ ସେଢେ ୬ ଅରବ ଡଲାର କ୍ଷତି ହୋଇଛି । ଏହି ସଂକଟରୁ ମୁକୁଳିବା ପାଇଁ ପାଖା ପାଖି ୫ ଶହ ଅରବ ଡଲାର ନିବେଶର ଆବଶ୍ୟକତା ରହିଛି । ଆପଣଙ୍କୁ କହିରଖୁ କି ସିଏପିଏ ହେଉଛି ଘରୋଇ ଏଭିଏସନକୁ ପରାମର୍ଶ ଦେଉଥିବା ଏକ କମ୍ପାନୀ ।

କହିରଖୁ କି କେବଳ ବିମାନ ଟିକେଟ୍ ନୁହେଁ କରୋନା କାଳରେ ବି ରେଳ ଟିକେଟ ମହଙ୍ଗା ହୋଇଛି । ଲୋକଲ ଟ୍ରେନରେ ୨୦ କିଲୋମିଟର ଯାତ୍ରା ପାଇଁ ଯାତ୍ରୀଙ୍କୁ ୧୦ ଟଙ୍କା ଭଡା ଦେବାକୁ ପଡୁଥିବା ବେଳେ ରେଳ ମନ୍ତ୍ରଣାଳୟ ଏହାକୁ ୩୦ ଟଙ୍କାକୁ ବୃଦ୍ଧି କରିଛି ।