କନକ ବ୍ୟୁରୋ : ବିଗତ ୩ ମାସ ଧରି ରାଜଧାନୀ ଦିଲ୍ଲୀ ସାଂଘାତିକ ପ୍ରଦୂଷଣରୁ କିଛି ମାତ୍ରାରେ ମୁକ୍ତି ପାଇଥିବା ବେଳେ ଏବେ ପୁଣି ଥରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଗତ ୧୦ ଦିନ ଭିତରେ ବାୟୁ ପ୍ରଦୂଷଣ ସ୍ଥିତି ବଢ଼ି ଚାଲିଥିବାରୁ ଆଗକୁ ଏହା ଜଟିଳ ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଜୁନ୍ ପରେ ବାୟୁ ପ୍ରଦୂଷଣସ୍ତରରେ ସୁଧାର ଆସିଥିବା ବେଳେ ଅକ୍ଟୋବର ୨ରୁ ପୂର୍ବଭଳି ସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ୟ୍ୟ ସାଂଗକୁ ବଢ଼ି ଚାଲିଥିବା ଯାନବାହନ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଖୁବଶୀଘ୍ର ବସିବାକୁ ଯାଉଛି ।ଏଭଳି ସ୍ଥିତିକୁ ଦେଖି ଦିଲ୍ଲୀରେ ରେଡ ଆଲର୍ଟ ଜାରି କରାଯାଇଛି ।ଦିଲ୍ଲୀର ସମସ୍ତ ରାସ୍ତାରେ ପାଣି ସିଂଚନ କରାଯିବା ସହ ଭାକ୍ୟୁମ କ୍ଲିନର୍ ଦ୍ୱାରା ଧୂଳି ଉଠାଯିବାକୁ ଯୋଜନା ହେଉଛି ।

Advertisment

air pollutionଦିଲ୍ଲୀରେ ୭୦ ପ୍ରତିଶତ ପ୍ରଦୂଷଣ ଦିଲ୍ଲୀର ଆବର୍ଜନା ଯୋଗୁଁ ହେଉଛି ଏବଂ ପଂଜାବ, ହରିୟାଣାର ପ୍ରଦୂଷଣ ମଧ୍ୟ ଦିଲ୍ଲୀକୁ ବ୍ୟାପୁଛି। ପ୍ରଦୂଷଣର ସୁରକ୍ଷିତ ସୀମା ନେଇ ଯେଉଁ ପରିମାଣ ଧାର୍ୟ୍ୟ ହୋଇଛି ତାହାଠାରୁ ଅନେକ ଗୁଣ ଅଧିକ ଥିବାରୁ ଦିଲ୍ଲୀବାସୀ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଦିଲ୍ଲୀବାସୀ ଏବେ ଶ୍ୱାସପ୍ରଶ୍ୱାସରେ ଯେଉଁ ବାୟୁ ଗ୍ରହଣ କରୁଛନ୍ତି ତାହା ବିପଜ୍ଜନକ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ପ୍ରଦୂଷଣ ରୋକିବା ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଅନେକ ସଂଗଠନ ଅସନ୍ତୋଷ ଜାହିର କରିଛନ୍ତି। ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଥିବାରୁ ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ଦିଲ୍ଲୀ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦିଲ୍ଲୀବାସି ଦାବି କରିଛନ୍ତି। ଦିଲ୍ଲୀର ଆବର୍ଜନା ଗଦାରେ ଲାଗୁଥିବା ନିଆଁ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଲୋକ ଅଭିଯୋଗ କରିଛନ୍ତି ।

ଦୀପାବଳି ପରେ ପ୍ରଦୂଷଣ ସ୍ଥିତି ଅହୁରି ବିଗିଡ଼ିବା ଆଶଙ୍କା ଥିବା ବେଳେ ସୁପ୍ରିମକୋର୍ଟ ଦିଲ୍ଲୀରେ ବାଣ ବିକ୍ରି ନିଷିଦ୍ଧ କରିଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ଏବଂ ଏନସିଆରରେ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ବାଣ ବିକ୍ରି ବନ୍ଦ ରହିବ। ତେବେ ବାଣ ବ୍ୟବସାୟୀମାନେ ଏହାକୁ ବିରୋଧ କରି ଆଦେଶ କୋହଳ କରିବାକୁ ସୁପ୍ରିମ୍ କୋର୍ଟରେ ଆବେଦନ କରିଛନ୍ତି।

delhi schoolପୂର୍ବରୁ ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଦେଖା ଦେଇଥିଲା । ଏପରିକି ଦିନରେ ମଧ୍ୟରେ ପ୍ରବଳ ମାତ୍ରାରେ ବିଷାକ୍ତ କୁହୁଡି ଦେଖିବାକୁ ମିଳୁଥିଲା । ଗୋଟିଏ ମିଟର ଦୂର ପର୍ଯ୍ୟନ୍ତ ମଧ୍ୟ ଦେଖିବା ସମ୍ଭବପର ହେଉନଥିଲା । ତେଣୁ ଏହି ପ୍ରଦୂଷଣକୁ ରୋକିବାକୁ ଦିଳ୍ଲୀରେ ଯୁଗ୍ମ-ଅଯୁଗ୍ମ ନୀତି ଆପଣାଇଥିଲେ ସରକାର । ଗୋଟିଏ ଦିନ ଯୁଗ୍ମ ନମ୍ବର ଥିବା ଗାଡି ଚାଲୁଥିବା ବେଳେ ଅନ୍ୟଦିନ ଅଯୁଗ୍ମ ନମ୍ବର ସଂଖ୍ୟାର ଗାଡି ଚାଲୁଥିଲା । ସେତେବେଳେ କିଛି ମାତ୍ରାରେ ବାୟୁ ପ୍ରଦୂଷଣକୁ ରୋକା ଯାଇଥିଲା । ଏପରିକି ୧୦ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । କିନ୍ତୁ ପୁଣିଥରେ ଦିଲ୍ଲୀରେ ଏଭଳି ସ୍ଥିତି ଉପୁଯିବାରୁ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।