କନକ ବ୍ୟୁରୋ : ଭୁବନେଶ୍ୱର ପବନରେ ବିଷ । ଦେଶର ରାଜଧାନୀ ପରେ ଏବେ ବିଷ ବଳୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର । ଗୋଟିଏ ପଟେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା କମ ହେଉନଥିବା ବେଳେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ଯାହା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶ୍ୱାସ, ହୃଦରୋଗ କିମ୍ବା ଯକୃତ ଜନିତ ସମସ୍ୟାରେ ପୀଡିତ ରୋଗୀଙ୍କ ପାଇଁ ଭୁବନେଶ୍ୱର ପବନ ଏବେ ଚିନ୍ତା ବଢାଇଛି । ରାଜଧାନୀ ପବନରେ ପ୍ରଦୂଷଣର ମାତ୍ରା ଏବେ ଏତେ ଅଧିକ ରହିଛି ଯେ କେବଳ ଶିଶୁ କିମ୍ବା ବୟସ୍କ ନୁହନ୍ତି ପୂରା ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ବିପଦ ଡାକି ଆଣିଛି । ଚଳିତ ମାସର ବିଭିନ୍ନ ସମୟରେ ସଂଗୃହୀତ ପ୍ରଦୂଷଣର ମାତ୍ରା ଏବଂ ଗତକାଲିର ଏୟାର କ୍ୱାଲିଟି ଇଣ୍ଡେକ୍ସରୁ ଏଭଳି ସାଂଘାତିକ ସୂଚନା ମିଳିଛି ।
/kanak/media/post_attachments/wp-content/uploads/2017/11/6oriFOG1_191219-300x210.jpg)
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଚନ୍ଦ୍ରଶେଖରପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ନଭେମ୍ବର ୨୫ ଶନିବାର ଦିନ ରାଜଧାନୀ ବାୟୁରେ ପିଏମ୧୦ର ପରିମାଣ ୨୩୬ ମାଇକ୍ରୋଗ୍ରାମ୍ ପ୍ରତି ମିଟର କ୍ୟୁବ୍ ଅଛି। ବିଜ୍ଞାନ ସମ୍ମତ ତଥ୍ୟ ଅନୁଯାୟୀ ବାୟୁରେ ଏହାର ମାତ୍ରା ୧୦୦ ମଧ୍ୟରେ ରହିବା ଆବଶ୍ୟକ। ବାୟୁରେ ପିଏମ୧୦ ର ପରିମାଣର ମାତ୍ରା ଏତେ ଅଧିକ ରହିବା ଅର୍ଥ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର। କେବଳ ଗତକାଲି ନୁହେଁ ଚଳିତ ମାସ ନଭେମ୍ବର ୧୩ ଓ ୧୪ ତାରିଖରେ ରାଜଧାନୀ ବାୟୁର ପିଏମ୧୦ର ପରିମାଣ ଯଥାକ୍ରମେ ୧୨୫ ଓ ୧୫୧ ମାଇକ୍ରୋଗ୍ରାମ୍ ପ୍ରତି ମିଟର କ୍ୟୁବ୍ ଥିଲା। ବର୍ଷା ହେବା ସତ୍ତ୍ୱେ ବାୟୁରେ ପିଏମ୧୦ ପରିମାଣ ମାତ୍ରାଧିକ ରହିବା ଅତ୍ୟନ୍ତ ବିପଦଜନକ ବୋଲି ବିଚାର କରାଯାଉଛି। ନିର୍ଧାରିତ ମାତ୍ରାଠାରୁ ଏହା ଅଧିକ ହେବା ଅର୍ଥ ବାୟୁରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି।
ଓଏସପିସିବିର ନିୟମ ଅନୁସାରେ ୦-୫୦ ମଧ୍ୟରେ ଏକ୍ୟୁଆଇ ରହିଲେ ଏହା ସୁସ୍ଥ, ୫୦-୧୦୦ ମଧ୍ୟରେ ରହିଲେ ମଧ୍ୟମ, ଏହି ମାତ୍ରା ୧୦୧ରୁ ୧୫୦ ମଧ୍ୟରେ ରହିଲେ ସମ୍ବେଦନଶୀଳ ଶ୍ରେଣୀରେ ଆସିଥାଏ । ଯାହା ଶ୍ୱାସ, ହୃଦରୋଗ ଆଦି ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଅସ୍ୱାସ୍ଥ୍ୟକର ହୋଇଥାଏ। ମାତ୍ର ଏହି ପରିମାଣ ୧୫୧-୨୦୦ ମଧ୍ୟରେ ରହିଲେ ଏହା ସମସ୍ତଙ୍କ ପାଇଁ ଅସ୍ୱାସ୍ଥ୍ୟକର ବା ରେଡ ଶ୍ରେଣୀରେ ଆସିଥାଏ। ୨୦୧ରୁ ୩୦୦ ସର୍ବାଧିକ ପ୍ରଦୂଷିତ ବର୍ଗରେ ଆସିଥାଏ।
ଭୁବନେଶ୍ୱର ଭଳି ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାଧିକ ଥିବାରୁ ଚଳିତ ମାସ ପ୍ରଥମ ସପ୍ତାହରେ ସେଠାକାର ସାଧାରଣ ଜନଜୀବନ ଠପ୍ ହୋଇ ଯାଇଥିଲା। ଦିଲ୍ଲୀରେ ବାୟୁରେ ପିଏମ୧୦ର ପରିମାଣ ୪୦୦ ଅତିକ୍ରମ କରିଯାଇଥିବାରୁ ଏବେବି ସେଠାରେ ଏହି ଧାରା ଜାରି ରହିଛି। ଏବେ ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଦେଖିବାକୁ ମିଳିଛି । ଏପରିକି ରାସ୍ତାରେ ଯିବା ବେଳେ ମଧ୍ୟ ୫୦ ମିଟର ଆଗକୁ କିଛି ଦେଖାଯାଉନି ।
/kanak/media/post_attachments/wp-content/uploads/2017/11/111-640x470-300x220.jpg)
ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରାକୁ ନିୟମିତ ଭାବରେ ପରୀକ୍ଷା କରିବା ନିମିତ୍ତ ଓଏସପିସିବି ପକ୍ଷରୁ ପାତ୍ରପଡ଼ା, ଆଇଆରସି ଭିଲେଜ୍, ଓଏସପିସିବି କାର୍ଯ୍ୟାଳୟ, କ୍ୟାପିଟାଲ୍ ପୋଲିସ୍ ଷ୍ଟେସନ, ରସୁଲଗଡ଼ ଓ ଚନ୍ଦ୍ରଶେଖରପୁରସ୍ଥିତ ଓଏସପିସିବି ପରୀକ୍ଷାଗାରରେ ୬ଟି ପ୍ରଦୂଷଣ ମାପଯନ୍ତ୍ର ଖଞ୍ଜାଯାଇଛି। ଗତ ଦୁଇ ଦିନର ତଥ୍ୟ ଅନୁଯାୟୀ ବାୟୁରେ ପିଏମ୍୧୦ର ପରିମାଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଶୀତ ଦିନ ଆସିଥିବାରୁ ଏହା ବୃଦ୍ଧି ଘଟୁଛି। କିନ୍ତୁ ଏକ୍ୟୁଆଇ ୧୫୦ ମାଇକ୍ରୋଗ୍ରାମ୍ ପ୍ରତି ମିଟର କ୍ୟୁବ ଉପରେ ରହିବା ଠିକ୍ ନୁହେଁ ବୋଲି ଓଏସପିସିବି ର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ଭୁବନେଶ୍ୱରରେ ଦିଲ୍ଲୀ ଭଳି ଥଣ୍ଡା କିମ୍ବା ପ୍ରଦୂଷଣର ମାତ୍ରା ନାହିଁ। କିନ୍ତୁ ରାଜଧାନୀରେ ବଢ଼ିଚାଲିଥିବା ଗାଡ଼ିର ପରିମାଣ, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଓ ଏଥିନିମନ୍ତେ ବ୍ୟବହୃତ ଭାରିଯାନ କାରଣରୁ ରାଜଧାନୀ ବାୟୁରେ ପିଏମ୍୧୦ର ପରିମାଣ ବୃଦ୍ଧି ପାଉଥିବା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଛାଡ଼ି ସିଏନଜି ଗ୍ୟାସ୍ ଜରିଆରେ ଗାଡ଼ି ଚଳାଚଳ କଲେ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଛଡା ସହର ମଧ୍ୟରେ ବଢୁଥିବା ନିର୍ମାଣ କାଯ୍ୟ ମଧ୍ୟ ବାୟୁ ପ୍ରଦୂଷଣଣ ମୁଖ୍ୟ କାରଣ । ରାସ୍ତାଘାଟ ନିର୍ମାଣ, କୋଠାବାଡି ନିର୍ମାଣ ସବୁକ୍ଷେତ୍ରରୁ ନିର୍ଗତ ହେଉଥିବା ଧୂଳି କଣିକା ମଧ୍ୟ ବାୟୁ ପ୍ରଦୂଷଣର ଏକ ପ୍ରଧାନ କାରଣ। ତେବେ ଏହାକୁ ରୋକିବାକୁ ଲୋକ ମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ବୃକ୍ଷରୋପଣ କରାଯିବା ଆବଶ୍ୟକ ବୋଲି କିଛି ସାମାଜିକ କର୍ମୀ କହିଛନ୍ତି । ନଚେତ ରାଜ୍ୟ ରାଜଧାନୀରେ ଦିଲ୍ଲୀ ଭଳି ପରିସ୍ଥିତି ଉପୁଜି ପାରେ ।