ଭୁବନେଶ୍ୱରରେ ପବନ ବହୁନି ବିଷ ବହୁଛି ! ସ୍ମାର୍ଟସିଟିରେ ପ୍ରଦୂଷଣ ସ୍ଥିତି ସାଂଘାତିକ ।

117

କନକ ବ୍ୟୁରୋ: ଦେଶରେ ବଢୁଥିବା ଗାଡି ମଟର ଏବଂ କଳ କାରଖାନା ଯୋଗୁ ଦିନକୁ ଦିନ ବାୟୁ ମଣ୍ଡଳ ପ୍ରଦୂଷିତ ହେବାକୁ ଲାଗିଛି । ଯାହା ଫଳରେ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଛନ୍ତି । ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଅତ୍ୟଧିକ ପ୍ରଦୂଷଣ ହୋଇଯାଇଥିବା କଥା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା । ଏଥି ପାଇଁ ସରକାରଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିଥିଲା । ଦିଲ୍ଲୀରେ ଏଭଳି ପରିସ୍ଥିତି ଥିବା ବେଳେ ଏବେ ଓଡିଶାର ରାଜଧାନୀ ଭୁବନେଶ୍ୱର ମଧ୍ୟ ସେହି ଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଭୁବନେଶ୍ୱରର ବାୟୁମଣ୍ଡ ମଧ୍ୟ ଦିଲ୍ଲୀ ଭଳି ପ୍ରଦୂଷିତ ହୋଇଥିବା କଥା ଏକ ରିପୋର୍ଟରୁ ପ୍ରକାଶ ପାଇଛି ।

ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ସର୍ଭେରେ ଭୁବନେଶ୍ବର ରହିବା ପାଇଁ ସବୁଠୁ ଭଲ ବାସୋପଯୋଗୀ ସହର ମାନ୍ୟତା ପାଇଛି। କିନ୍ତୁ ଏଠାକାର ବାୟୁ ପ୍ରଦୂଷଣ ମାତ୍ରାକୁ ଯଦି ହିସାବକୁ ନିଆଯାଏ, ଭୁବନେଶ୍ବର ଦେଶର ଅଗ୍ରଣୀ ପ୍ରଦୂଷିତ ସହର ତାଲିକାରେ ରହିବ। ରାଜଧାନୀବାସୀ ଏବେ ପ୍ରଶ୍ବାସରେ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତାହାଠାରୁ ଢେର୍ ଅଧିକ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ବିଷାକ୍ତ ଧୂଳିକଣାକୁ ନେଉଛନ୍ତି। ଆଉ ଏହା ହିଁ କମ୍ ଦିନରେ ହୃଦଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସଫୁସ୍ କର୍କଟ, ଯକ୍ଷ୍ମା, ଆସ୍ତମାରେ ରାଜଧାନୀବାସୀଙ୍କୁ ପୀଡିତ କରୁଛି । ପ୍ରତି ମୁହୂର୍ତ୍ତରେ ଆୟୁଷ କମି କମି ଯାଉଛି। ରାଜଧାନୀରେ ବହୁଥିବା ପବନ ବିଷାକ୍ତ ହୋଇଗଲାଣି।

ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରଦୂଷଣ ମାପକ ଯନ୍ତ୍ରରୁ ଜଣାପଡ଼ିଛି ଯେ, ଖଣ୍ଡଗିରି, ମଞ୍ଚେଶ୍ବର, କିଟ୍ ଛକ, ୟୁନିଟ-୮ ଡିଏଭି ଛକ, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ, ସହିଦ ନଗର, ଇନଫୋସିଟି ଅଞ୍ଚଳ ସମେତ ପୁରୁଣା ଭୁବନେଶ୍ବରରେ ପ୍ରଦୂଷଣ ସ୍ଥିତି ସାଂଘାତିକ। ସବୁଠୁ ଅଧିକ ବିପଜ୍ଜନକ ରହିଛି ଖଣ୍ଡଗିରି, ଇନଫୋସିଟି, ମଞ୍ଚେଶ୍ବର, କିଟ୍ ଛକ। ଏହି ସ୍ଥାନରେ ବାୟୁର ଗୁଣାତ୍ମକ ସୂଚକାଙ୍କ (ଏକ୍ୟୁଆଇ) ଦୈନିକ ହାରାହାରି ୫୦୦ ଛୁଉଁଛି। ଏପରିକି ଅଧିକାଂଶ ଦିନ ଏହା ୧୦୦୦ରୁ ୧୨୦୦ ବି ରହୁଛି । ଯେତେବେଳେ କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହୁଛି ଏକ୍ୟୁଆଇ ୫୦ ଭିତରେ ରହିବା ଦରକାର। ଯାହା ରାଜଧାନୀର ଗୋଟିଏ ବି ସ୍ଥାନରେ କୌଣସି ଦିନ ନାହିଁ। ରାଜଧାନୀରେ ପିଏମ୍ ୨.୫ (୨.୫ ମାଇକ୍ରୋମିଟରର ଧୂଳିକଣା) ଏବଂ ପିଏମ୍ ୧୦ ମାତ୍ରା ବହୁ ସ୍ଥାନରେ ହଜାରେ ପାଖାପାଖି ରହିଥିବାରୁ ଏହା ବିପଜ୍ଜନକ ସାଜିଛି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଏବେ ୧୦ଟି ସ୍ଥାନରେ ପ୍ରଦୂଷଣ ମାପିବା ପାଇଁ ଡିଜିଟାଲ ବୋର୍ଡ ଲାଗିଥିବା ବେଳେ ଏଥିରେ ରେକର୍ଡ ହୋଇଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି, କଳିଙ୍ଗ ହସ୍ପିଟାଲ, ରିଜିଓନାଲ ପ୍ଲାଣ୍ଟ, ୟୁନିଟ-୮ ଡିଏଭି, ମାଷ୍ଟରକ୍ୟାଣ୍ଟିନ, ରମାଦେବୀ, ଇନଫୋସିଟି, କିଟ୍ ଛକ, ଲିଙ୍ଗରାଜ ମନ୍ଦିର ଏବଂ ମଞ୍ଚେଶ୍ବରରେ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍. ପିଏମ୍ ୨.୫ ଏବଂ ପିଏମ୍ ୧୦ ମାତ୍ରା ବହୁତ ଅଧିକ। କିନ୍ତୁ ଏହା ପ୍ରତ୍ୟେକ ଦିନ ସମାନ ରହୁନି। କେତେବେଳେ ପୂର୍ବାହ୍ନରେ ତ କେତେବେଳେ ସଂଧ୍ୟାରେ ପ୍ରଦୂଷଣ ମାତ୍ରା ଅଧିକ ରହୁଛି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀର ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହୋଇଥିବା ବେଳେ ଏହା କିପରି ନିୟନ୍ତ୍ରଣାଧୀନ ହେବ, ସେଥିପାଇଁ ଆମେ ଏବେ ରାଜଧାନୀର ୧୦ଟି ପ୍ରମୁଖ ଅଞ୍ଚଳର ପ୍ରଦୂଷଣ ମାତ୍ରା ରେକର୍ଡ କରୁଛୁ। ଏହାପରେ ବାୟୁ ପ୍ରଦୂଷଣେର କେଉଁ ପାରାମିଟର ଅଧିକ ରହୁଛି ତାହାର ବିଶ୍ଲେଷଣ କରିବା ପରେ ତାହା କିପରି କମିବ, ପଦକ୍ଷେପ ନେବୁ।