କନକ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଚାରି ଦିନ ହେବ ରାଜଧାନୀକୁ ଅଣନିଶ୍ୱାସୀ କରି ଦେଇଛି ବାୟୁ ପ୍ରଦୂଷଣ । ସୁଇସ ଗ୍ରୁପ ତଥ୍ୟ ଅନୁସାରେ ରବିବାର ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ । ସେହିପରି ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ଗୁଣବତା ଅତିସୟ ଖରାପ ରହିଥିବା ରିପୋର୍ଟ ମିଳିଛି । ଆଜି ସକାଳ ୬ଟା ସୁଦ୍ଧା ଆଇକ୍ୟୁ ଗ୍ରାଫ୍ରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ୪୦୦ ଉପରେ ରହିଥିବା ଦେଖିବାକୁ ମିଳିଛି । ଆର୍କେ ପୁରମ୍ରେ ପ୍ରଦୂଷଣ ସ୍ତର ୪୬୬, ମୋତିବାଗ୍ରେ ୪୮୮, ଲୋଧି ରୋଡ୍ରେ ୪୫୦, ଦିଲ୍ଲୀ ୟୁନିଭର୍ସିଟିରେ ୪୭୩, ଆୟା ନଗରରେ ୫୩୨ ରହିଛି । ଏୟାର କ୍ୱାଲିଟି ୦-୫୦ ରହିବା କଥା, ମାତ୍ର ଦିଲ୍ଲୀରେ ତାହା ୫୦୦ରୁ ଅଧିକ ରହୁଛି । ଏହାର ଅର୍ଥ ଏହି ବାୟୁ ବିଷ ସହ ସମାନ । ବାୟୁର ମାନ ଖରାପ ହେଉଥିବାରୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଆଖିରେ ପୋଡାଜଳା, ନିଶ୍ୱାସ ନେବାରେ ସମସ୍ୟା, ଗଳା ଦରଜ ସହ କାଶ ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ନେଇ ରାଜଧାନୀରେ ଏକ ପ୍ରକାର ଲକ୍ଡାଉନ୍ ଭଳି ଘୋଷଣା ହୋଇଛି । ପ୍ରଦୂଷଣକୁ ନଜରରେ ରଖି ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ସେହିପରି ଦିଲ୍ଲୀ ସହରରେ ଡିଜେଲ୍ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାସହ ରାସ୍ତାରେ ପାଣି ଛିଂଚିବାକୁ ଏକ ସ୍ୱତନ୍ତ୍ର ଟିମ୍କୁ ନିୟୋଜିତ କରିଛନ୍ତି ଦିଲ୍ଲୀ ସରକାର ।

Advertisment

କିନ୍ତୁ ଆଜି ବିଶ୍ୱକପରେ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ । ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ହେବ ମୁକାବିଲା । ସେମିଫାଇନାଲ ଦୈଡରୁ ବାଦ୍ ପଡିଥିବା ଏହି ଦୁଇ ଦଳର ମ୍ୟାଚ ଆଜି ଯେତିକି ଗୁରୁତ୍ୱ ନୁହଁ ତାଠୁ ଅଧିକ ଚିନ୍ତାଜନକ ବାଂଲାଦେଶ ଖେଳାଳିଙ୍କ ସ୍ୱାସ୍ଥ୍ୟସମସ୍ୟା । ଦିଲ୍ଲୀର ଭୟଙ୍କର ବାୟୁ ପ୍ରଦୂଷଣ ବାଂଲା ଖେଳାଳିଙ୍କୁ ପ୍ରଭାବିତ କରିଛି । ପ୍ରଦୂଷଣ ଯୋଗୁଁ ଅନେକ ଖେଳାଳି ଶ୍ୱାସ ଜନିତ ସମସ୍ୟା ଓ ଆସ୍ଥମାରେ ପୀଡିତ ହୋଇଛନ୍ତି । ତେଣୁ ବାଂଲାଦେଶ ଖେଳାଳି ମାନେ ମ୍ୟାଚ ପୂର୍ବରୁ ଅଭ୍ୟାସ ବି କରିପାରି ନାହାନ୍ତି । ଡାକ୍ତରଙ୍କ ପରାମର୍ଶରେ ସେମାନେ ବନ୍ଦ କୋଠରୀ ଭିତରେ ହିଁ ରହିଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀ ବାସୀଙ୍କୁ ନୁହଁ ବିଦେଶୀ ଖେଳାଳି ଓ ବିଶ୍ୱକପକୁ ମଧ୍ୟ ପ୍ରଭାବିତ କରୁଛି ।