ବାଣ ଫୁଟା ବନ୍ଦ ହେବାର ସୁଫଳ: କଟକଣାକୁ ମାନିଲେ ଲୋକେ; ୨୦୧୮ ତୁଳନାରେ ଦୀପାବଳିରେ ରାଜଧାନୀ ଭୁବନେଶ୍ୱରରେ କମିଲା ପ୍ରଦୂଷଣ

ଗତକାଲି ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେସ୍କ ଥିଲା ୨୩୯

117

କନକ ବ୍ୟୁରୋ: ଦୀପାବଳିରେ କମିଲା ରାଜଧାନୀର ପ୍ରଦୂଷଣ । ମିଳିଲା ବାଣ ଫୁଟା ବନ୍ଦ ହେବାର ସୁଫଳ । ବାଣଫୁଟା କଟକଣାକୁ ଲୋକେ ମାନିଛନ୍ତି । ଫଳରେ ଦୀପାବଳିରେ ରାଜଧାନୀରେ କିଛି ପରିମାଣରେ କମିଛି ପ୍ରଦୂଷଣ ସ୍ତର । ଭୁବନେଶ୍ୱରର ୪ଟି ସ୍ଥାନରେ ସ୍ମାର୍ଟ ସିଟି ଲଗାଇଥିବା ଏକ୍ୟୁଆଇ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ବୋର୍ଡରୁ ଏହି ଚିତ୍ର ମିଳିଛି । ଗତକାଲି ମାଷ୍ଟର କ୍ୟାଂଟିନରେ ଏକ୍ୟୁଆଇ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୯ ଥିଲା । ୨୦୧୮ ମସିହାରେ ମାଷ୍ଟର କ୍ୟାଂଟିନରେ ଏକ୍ୟୁଆଇ ରାତିରେ ୩୬୯ ଥିଲା । ତେଣୁ ତୁଳନାତ୍ମକ ଭାବରେ ଗତକାଲିର ସ୍ତର ବହୁତ ଭଲ ବୋଲି ବିଶେଷଜ୍ଞ କହିଛନ୍ତି ।

ଅନ୍ୟପଟେ, ଦୀପାବଳି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତାମାନ ବିପଦଜନକ ସ୍ତରରେ ପହଂଚିଛି । ଦିଲ୍ଲୀରେ ବାୟୁ ଗୁଣବତା ସବୁଠୁ ଅଧିକ ଖରାପ ସ୍ଥିତିରେ ପହଂଚି ଥିବା ଜଣାପଡିଛି । ଏବେ ବିଷାକ୍ତ ବାୟୁର ବଳୟ ଦିଲ୍ଲୀକୁ ଆଚ୍ଛାଦିତ କରି ରଖୁଛି । ପ୍ରଦୂଷଣର କୁହୁଡି ଯୋଗୁଁ ସକାଳୁ ସକାଳୁ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି । ହେଲେ ସବୁଠାରୁ ଚିନ୍ତା ଜନକ କଥା ହେଉଛି, ଏହି ବିଷାକ୍ତ ବାୟୁ କରୋନା କାଳରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗମ୍ଭୀର ପ୍ରଭାବ ପକାଉଛି ।

ଶନିବାର ସକାଳେ ବାୟୁର ମାନକ ୪୨୪ ରେକର୍ଡ ହୋଇଥିଲା । ଯାହାକି ବିପଦଜନକ ସ୍ଥିତି । ଏପରି ସ୍ଥିତିରେ ଦୀପାବଳିରେ ଦିଲ୍ଲୀର ଏନସିଆର ସମେତ ଅନେକ ସ୍ଥାନରେ ବାଣ ଫୁଟା ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ବାସୀଙ୍କ ଚିନ୍ତା ବଢିଲାଣି । ଶନିବାର ଦିଲ୍ଲୀର ବାୟୁ ଗୁଣବତା ସୂଚକାଙ୍କ ଏକ୍ୟୁଆଇ ୪୨୪ , ଶୁକ୍ରବାର ୩୨୪, ଗୁରୁବାର ୩୧୪, ବୁଧବାର ୩୪୪ ଓ ମଙ୍ଗଳବାର ୪୭୬ ଏକ୍ୟୁ ଆଇ ରେକର୍ଡ କରାଯାଇଛି ।