ପୁଣି ଉପରମୁହାଁ ହେଲା ପ୍ରଦୂଷଣ : ଲକଡାଉନ କୋହଳ ହେବା ପରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ; ଦେଶର ୧୦୨ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହରର ପ୍ରଦୂଷଣ ମାତ୍ରା ଉଦ‌ବେଗଜନକ

346

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବା ଲାଗି ମାର୍ଚ୍ଚ ୨୨ରେ ଗୋଟିଏ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ରହିଥିଲା । ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍‌-୧। ରାସ୍ତାରେ ଗାଡ଼ିମଟର ଗଡ଼ି ନ ଥିଲା । ଶିଳ୍ପ ସଂସ୍ଥା ବି ବନ୍ଦ ରହିଲା। ଯେଉଁଥିପାଇଁ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ହ୍ରାସ ପାଇଥିଲା । ଯେଉଁ ସହରର ପ୍ରଦୂଷଣ ଦିନେ ଉଦ୍‌ବେଗଜନକ ସ୍ଥିତିରେ ଥିଲା ସେଠାରେ ସ୍ବଚ୍ଛ ବାୟୁ ପ୍ରବାହିତ ହେଲା। ପରବର୍ତୀ ସମୟରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌-୨, ଲକ୍‌ଡାଉନ୍‌-୩, ଲକ୍‌ଡାଉନ୍‌-୪ ଲାଗୁ କରାଗଲା। ପର୍ଯ୍ୟାୟକ୍ରମେ କଟକଣା କୋହଳ ବି ହେଲା। ଗାଡ଼ିମଟର ଗଡ଼ିଲା । ଶିଳ୍ପ ସଂସ୍ଥା ବି ଚାଲିଲା । ପରିଣାମ ସ୍ବରୂପ ଏବେ ସହରର ପ୍ରଦୂଷଣ ମାତ୍ର ପୁଣିଥରେ ଉପରମୁହାଁ ଧରିଛି ।

ଦେଶର ୧୦୨ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ଯଥା-ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲାରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ରହିଛି । ଏସବୁ ସହରରେ ଗଲା ୫ ବର୍ଷ ହେଲା ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍‌ ସୂଚନା ଦେଇଥିଲେ। ତେବେ ଲକ୍‌ଡାଉନ୍‌ ସମୟରେ ଉକ୍ତ ସହର ସମେତ ରାଜ୍ୟର ଅନ୍ୟତମ ପ୍ରଦୂଷିତ ସହର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ବାୟୁ ପ୍ରଦୂଷଣର ମାତ୍ରା ବହୁ ପରିମାଣରେ କମିଥିଲା । ‌ମାତ୍ର କଟକଣା ସାମାନ୍ୟ କୋହଳ ହେବା ପରେ ଏପ୍ରିଲ ମାସ ତୁଳନାରେ ମେ’ ମାସରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଜୁନ୍‌ ମାସ ଆରମ୍ଭ ତଥା ଅନ୍‌ଲକ୍‌-୧ରୁ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ବହୁ ପରିମାଣରେ ବଢ଼ିଥିବା ସୂଚନା ମିଳିଛି । ଆଶ୍ବସ୍ତିକର ବିଷୟ ହେଉଛି ଯେ ଜୁନ୍‌ ମାସର ୮ ଦିନ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ତେବେ ଉକ୍ତ ୧୧ ଜିଲ୍ଲାରେ ବାୟୁ ପ୍ରଦୂଷଣ ମାତ୍ରା ସ୍ଥିର ରହିଥିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ରୁ ୨୧ ତଥା ଲକ୍‌ଡାଉନ୍‌ ପୂର୍ବରୁ ୮ଟି ସହର ଯଥା ତାଳଚେର, କଟକ, ଝାରସୁଗୁଡ଼ା, କଳିଙ୍ଗନଗର, କେନ୍ଦୁଝର, ପାରାଦୀପ, ରାଉରକେଲା ଓ ସମ୍ବଲପୁର ସହରର ବାୟୁମଣ୍ଡଳୀୟ ପ୍ରଦୂଷଣର ମାତ୍ରା ୧୦୦ରୁ ଅଧିକ ତଥା ମଧ୍ୟମ ଧରଣ ରହିଥିଲା। ତେବେ ମାର୍ଚ୍ଚ ୨୨ ତଥା ଲକ୍‌ଡାଉନ୍‌ଠାରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଉକ୍ତ ୮ଟି ସହର ସମେତ ରଜ୍ୟର ସବୁ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ଆଶାନୁରୂପ ଥିଲା। ଏମିତିକି ଭୁବନେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ପୁରୀ ସହରର ପ୍ରଦୂଷଣ ମାତ୍ରା ଭଲ ସ୍ଥିତି ୫୦ରୁ କମ୍‌ ଥିଲା।

ଜୁନ୍‌ ମାସ ସ୍ଥିତି ନେଇ ଏପର୍ଯ୍ୟନ୍ତ ରିପୋର୍ଟ ଆସିନି। ‌ତେବେ ଅନ୍‌ଲକ୍‌-୧ ପରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିଥିବାରୁ ଲୋକଙ୍କ ଚଳପ୍ରଚଳ ବଢ଼ିଛି। ବନ୍ଦ ରହିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପୁଣିଥରେ ଚାଲୁ ହୋଇଛି। ଶିଳ୍ପାଞ୍ଚଳରେ ଟ୍ରକ୍‌ ଚଳାଚଳ ବି ବଢ଼ିଛି। ତେଣୁ ପ୍ରଦୂଷଣ ମାତ୍ରା ଉପରମୁହାଁ ଧରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳଙ୍କ କହିବାନୁଯାୟୀ, ମାର୍ଚ୍ଚ ୨୨ରୁ ଏପ୍ରିଲ ୩୧ ପର୍ଯ୍ୟନ୍ତ ରାଜ୍ୟର ସବୁ ସହରର ପ୍ରଦୂଷଣର ମାତ୍ରା ହ୍ରାସ ପାଇଥିଲା। ମେ’ ମାସରେ ସାମାନ୍ୟ ବଢ଼ିଛି। ଜୁନ୍‌ ମାସ ଶେଷ ହୋଇ ନ ଥିବାରୁ ଏପର୍ଯ୍ୟନ୍ତ ରିପୋର୍ଟ ଆସି ନାହିଁ। ତେବେ ସମସ୍ତ ସହରରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିବାରୁ ବାୟୁ ପ୍ରଦୂଷଣ ବଢ଼ିଥିବା ଅନୁମାନ କରାଯାଉଛି ।