ଏୟାର ଓଡିଶା ଫ୍ଲପ୍ ସୋ

ଏୟାର ଓଡିଶା ଫ୍ଲପ୍ ସୋ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଉଡାଣର ୫ ମାସ ପରେ ଡେଣା ହରାଇଲା ଏୟାର ଓଡିଶା। ବିବାଦ ଘେରକୁ ଆସିବା ପରେ ବାତିଲ ହେଲା ବୁଝାମଣା । ମାତ୍ର ୫ ମାସ ପରେ ଓଡ଼ିଶାର ସମ୍ବଲପୁର, ଜୟପୁର ଓ ରାଉରକେଲା ଭଳି ସହରକୁ ଛୋଟ ବିମାନ ଚଳାଇବାକୁ ଅନୁମତି ପାଇଥିବା ଏୟାର ଓଡ଼ିଶା ସହ ଚୁକ୍ତିକୁ ବାତିଲ କରିଦେଇଛି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ସିଏମଜିଆଇ । ଏବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ଏଭଳି ଏକ କମ୍ପାନୀକୁ ବାଛିଥିଲା ସାଧାରଣ ପ୍ରଶାସନ ବିଭାଗ । କେଉଁ ଆଧାରରେ ଦେଉଥିଲା ସବସିଡି? ଏଥିରେ କେଉଁ ବଡ଼ ବଡ଼ିଆଙ୍କ ହାତ ଚିକ୍କଣ ହୋଇଛି?

air-odisha issueଏ ହେଉଛି ଏୟାର ଓଡ଼ିଶା ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡର ରେଜିଷ୍ଟ୍ରାର ଅଫ୍ କମ୍ପାନୀରେ ପ୍ରଦତ୍ତ ତଥ୍ୟ । କମ୍ପାନୀର ମାଷ୍ଟର ଡାଟା କହୁଛି- କମ୍ପାନୀ ଗତ ତିନି ବର୍ଷ ହେଲା ରେଜିଷ୍ଟ୍ରାର ଅଫ୍ କମ୍ପାନିଜରେ ନିଜର ବାଲାନ୍ସ ସିଟ୍ ଦାଖଲ କରିନାହିଁ । ତିନି ବର୍ଷ ହେଲା ଆନୁଆଲ୍ ଜେନେରାଲ୍ ମିଟିଂ ବା ଏଜିଏମ୍ କରିନାହିଁ । କମ୍ପାନୀର ଅଥରାଇଜଡ କ୍ୟାପିଟାଲ୍ ଅର୍ଥାତ୍ ବଜାରରୁ ସେୟାର ସଂଗ୍ରହର ସୀମା ମାତ୍ର ୨ କୋଟି ଟଙ୍କା ରହିଛି । ମାତ୍ର କମ୍ପାନୀ ୨୦ କୋଟି ଟଙ୍କାର ୯ ସିଟ୍ ବିଶିଷ୍ଟ ବିମାନ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଛି । ଏବେ ପ୍ରଶ୍ନ ଉଠୁଛି- ସରକାର ଗତ ବର୍ଷ “ଏୟାର ଓଡ଼ିଶା’’ ସହ ଚୁକ୍ତି କଲା ବେଳେ ଏକଥା ଜାଣିଥିଲେ ନା ନାହିିଁ? ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ସିଏମଜିଆଇ ଅର୍ଥାତ୍ ସେଂଟର୍ ଫର୍ ମର୍ଡନାଇଜିଂ ଗର୍ଭମେଂଟ୍ ଇନିସିଏଟିଭ୍ କେଉଁ ପରିସ୍ଥିତିରେ ଏୟାର ଓଡ଼ିଶା ସହ ଚୁକ୍ତି କଲା? କମ୍ପାନୀର ଆର୍ଥିକ ସକ୍ଷମତା ଉପରେ କେମିତି ଭରସା ରଖିପାରିଲେ ରାଜ୍ୟ ସରକାର? ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗରେ ଏଭଳି କାରବାର ଚାଲିଥିବା ସଂପର୍କରେ ମୁଖ୍ୟମନ୍ତ୍ରୀ ଜାଣିଥିଲେ ନା ନାହିଁ? ଏ ସବୁ ଜାଣି ସୁଦ୍ଧା ସେ ଜାନୁଆରୀ ୧୯ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏୟାର ଓଡ଼ିଶାର ସେବା ଆରମ୍ଭ କରିଥିଲେ କି?ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ସାଧାରଣ ପ୍ରଶାସନ ବିଭାଗର ପାରିବାପଣିଆ ଉପରେ ।

vlcsnap-2016-06-03-20h52m08s461ଏୟାର ଓଡ଼ିଶା ସହ ରାଜ୍ୟ ସରକାରଙ୍କ ଚୁକ୍ତି ବାତିଲ ହେବା ପରେ କମ୍ପାନୀ ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗରେ ଏବେ ଏହାର ଅନ୍ୟତମ ନିର୍ଦେଶକ ସନ୍ତୋଷ ପାଣି ଜେଲରେ ଭର୍ତି ହୋଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଏକ ପଂଜୀକୃତ ସଂସ୍ଥା ହେଉଛି ସିଏମଜିଆଇ । ସିଏମଜିଆଇର ନିର୍ବାହୀ ନିର୍ଦେଶକ ଅଛନ୍ତି ଆଇଏଏସ୍ ଅଫିସର ତଥା ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଆର୍.ଏସ୍. ଗୋପାଳନ୍ । ଟେଣ୍ଡର ମାଧ୍ୟମରେ ଏହି ସଂସ୍ଥାକୁ ବଛାଯାଇଥିଲେ ସୁଦ୍ଧା ଏବେ ପ୍ରଶ୍ନ ଉଠୁଛି ସରକାର କେଉଁ ସ୍ଥିତିରେ ଏଭଳି ଏକ ସଂସ୍ଥାକୁ ବାଛିଲେ? ଏୟାର ଓଡ଼ିଶା ବିମାନ ଚଳାଇବା ପରେ ପ୍ରଶ୍ନ ଉଠିଲା- କମ୍ପାନୀ ସଂପୂର୍ଣ୍ଣ ଭାବରେ ଅନଲାଇନରେ ଟିକେଟ୍ ବୁକିଂ କରୁନଥିଲା । କମ୍ପାନୀ ଅନେକ ସମୟରେ ଫ୍ଲାଇଟ୍ ବନ୍ଦ କରିଦେଉଥିଲା । କମ୍ପାନୀ ରୁଟ୍ ଚାର୍ଟକୁ ନିଜ ଇଚ୍ଛାରେ ବଦଳାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe