ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା… । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ, ଜାଣନ୍ତୁ ଏମିତି କଣ କରିଛନ୍ତି ଏମାନେ ଯେଉଁଥିପାଇଁ ପୂରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

252

କନକ ବ୍ୟୁରୋ : ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା । ନନଷ୍ଟପ ଯାତ୍ରାରେ ବିରାମ ପଡିବ । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ । ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ବିଶ୍ୱର ସବୁଠୁ ଲମ୍ବା ଏୟାର ରୁଟରେ ଉଡାଣ ଶେଷ କରିବା ସହ ରଚିବେ ଇତିହାସ । ଆମେରିକାର ସାନଫ୍ରାନସିକୋରୁ ଗତ ୯ ତାରିଖରୁ ଏୟାର ଇଣ୍ଡିଆର ଏଆଇ ୧୭୬ ନମ୍ବର ବିମାନଟି ଉଡାଣ ଭରିଥିବା ବେଳେ ନର୍ଥ ପୋଲ ଉପର ଦେଇ ଆସନ୍ତାକାଲି ଭୋର ସମୟରେ ବାଙ୍ଗାଲୋରରେ ପହଞ୍ଚିବ । ଆଉ ଏହି ସମୟରେ ପ୍ରାୟ ୧୬ ହଜାର କିଲୋମିଟର ଦୂର ଅତିକ୍ରମ କରି ସାରିଥିବ ଏହି ବିମାନ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଉଡାଣ ପାଇଁ ମହିଳା ପାଇଲଟ କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ଗୁରୁଦାୟିତ୍ୱ ଦେଇଛି ଏୟାର ଇଣ୍ଡିଆ । ଆଉ ଜୋୟାଙ୍କ ନେତୃତ୍ୱରେ ବିମାନକୁ ଚଳାଉଥିବା ଟିମରେ ସମସ୍ତ ପାଇଲଟ ମଧ୍ୟ ମହିଳା ରହିଛନ୍ତି । ଆଉ ଭାରତୀୟ ମହିଳା ପାଇଲଟ ଏହି ଇତିହାସ ରଚିବା ପୂର୍ବରୁ ପୂରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସାନଫ୍ରାନସିକୋରୁ ବାଙ୍ଗାଲୋର । ନନଷ୍ଟପ ଯାତ୍ରା । ଗତ ୯ ତାରିଖ ରାତିରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ୧୧ ତାରିଖ ଭୋର ସମୟରେ ଏହି ଯାତ୍ରା ଶେଷ ହେବ । ତେବେ ଏୟାର ଇଣ୍ଡିଆର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ନର୍ଥ ପୋଲ ଦେଇ ଉଡାଣ ଭରିବା ବେଶ ଆହ୍ୱାନଭରା । ସମସ୍ତ ଏୟାରଲାଇନ୍ସ କମ୍ପାନି ଏହି ରୁଟରେ ଉଡାଣ ପାଇଁ ନିଜର ସବୁଠୁ ଦକ୍ଷ ଓ ଅନୁଭବୀ ପାଇଲଟଙ୍କୁ ଦାୟିତ୍ୱ ଦେଇଥାନ୍ତି । ଆଉ କ୍ୟାପଟେନ ଜୋୟାଙ୍କୁ ଦାୟିତ୍ୱ ଦେଇ ଏୟାର ଇଣ୍ଡିଆ ପୂରା ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛି ।

ତେବେ ଏହି ଆହ୍ୱାନଭରା ଯାତ୍ରା ଆରମ୍ଭ ପୂର୍ବରୁ ଜୋୟା କହିଥିଲେ ଯେ, ବିଶ୍ୱର ଅଧିକାଂଶ ଲୋକ ନର୍ଥ ପୋଲ ଦେଖି ନଥିବେ । ଏପରିକି ଏହାର ନକ୍ସା ମଧ୍ୟ ଦେଖିନଥିବେ । କିନ୍ତୁ ବେସାମରିକ  ବିମାନ ଚଳାଚଳ ମନ୍ତ୍ରାଳୟ ଓ ଏୟାର ଇଣ୍ଡିଆ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ବହୁତ ଖୁସି । ସାନଫ୍ରାନସିକରୁ ବାଙ୍ଗାଲୋର ବିମାନ ଉଡାଣ କରିବା ଏକ ସ୍ୱର୍ଣ୍ଣିମ ଅବସର । ତା ଛଡା ମୋ ଟିମରେ ୪ ଜଣ ମହିଳା ପାଇଲଟ ରହିଛନ୍ତି । ଏହା ବିଶ୍ୱର ପ୍ରଥମ ଘଟଣା ହେବ ଯେବେ ନର୍ଥ ପୋଲ ଉପରେ ବିମାନ ଉଡାଣ ଭରୁଥିବ  ଓ ଏହାର ସମସ୍ତ ପାଇଲଟ ମହିଳା ଥିବେ । ଏଭଳି ମୁହୂର୍ତ୍ତ ଇତିହାସ ସୃଷ୍ଟି କରିବ । ନର୍ଥ ପୋଲ ଉପର ଦେଇ ଉଡାଣ ଭରିବା ବେଶ ରୋମାଞ୍ଚକର, ଏଠାରେ କମ୍ପାସ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିଥାଏ । ତେଣୁ ବେଶ ସର୍ତକତାର ସହ ଏଠାରେ ଉଡାଣ ଭରିବାକୁ ପଡିବ ବୋଲି କହିଛନ୍ତି ଜୋୟା ।

 ଜୋୟା ଅଗ୍ରୱାଲ ଏହା ପୂର୍ବରୁ ଅନେକ ଉପଲବ୍ଧି ହାସଲ କରିଛନ୍ତି । ସବୁଠୁ କମ ବୟସରେ ଏୟାର ଇଣ୍ଡିଆର ବୋଇଂ -୭୭୭ ବିମାନ ଉଡାଇବାର ରେକର୍ଡ ନିଜ ନାଁରେ କରିଛନ୍ତି ଜୋୟା । ୨୦୧୩ରେ ଏଭଳି ଏକ ରେକର୍ଡ ହାସଲ କରିଥିଲେ ଜୋୟା । ଆଉ ଏବେ ଜୋୟାଙ୍କ ନାଁ ପଛରେ ଆଉ ଏକ ରେକର୍ଡ ଯୋଡି ହେବାକୁ ଯାଉଛି । ନର୍ଥ ପୋଲ ଉପରେ ଉଡାଣ ଭରିବା ସମୟରେ କମାଣ୍ଡ କରିବା ସହ ଏୟାର ଇଣ୍ଡିଆର ପ୍ରଥମ ମହିଳା କମାଣ୍ଡର ହେବାକୁ ଯାଉଛନ୍ତି ଜୋୟା । ଆଉ ଇତିହାସ ରଚିବା ପୂର୍ବରୁ ମହିଳା ପାଇଲଟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।