କନକ ବ୍ୟୁରୋ : ଋଷ-ୟୁକ୍ରେନ ସଙ୍କଟ । ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ । ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । କିଭର୍ ବୋରିସ୍ପିଲ ବିମାନବନ୍ଦରରେ ଅବତରଣ କରିବ ଏୟାର ଇଣ୍ଡିଆ । ସପ୍ତାହକ ଭିତରେ ୩ଟି ବିମାନରେ ଫେରିବେ ଭାରତୀୟ । ୟୁକ୍ରେନ୍ କିବରୁ ଆଜି ରାତି ୧୦ଟା ୧୫ରେ ଏୟାର ଇଣ୍ଡିଆର ପ୍ରଥମ ବିମାନ ଦିଲ୍ଲୀରେ ଭାରତୀୟଙ୍କୁ ନେଇ ପହଂଚିବ । ସେହିପରି ୨୪ ଓ ୨୬ ତାରିଖରେ ଆଉ ଦୁଇଟି ବିମାନ ୟୁକ୍ରେନରୁ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସିବ ।

Advertisment

ସେପଟେ, ୟୁକ୍ରେନ୍‌-ଋଷ ସୀମାରେ ଅଶାାନ୍ତ ସ୍ଥିତି ଲାଗି ରହିଛି । କ୍ଷେପଣାସ୍ତ୍ର ପରୀକ୍ଷଣ, ସାମରିକ ସମରାଭ୍ୟାସ ଋଷ ଜାରି ରଖିଛି । ୟୁକ୍ରେନ୍‌ ଉପରେ ଋଷ ଯେ‌କୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଛି । ୟୁକ୍ରେନ୍‌ ପାର୍ଶ୍ବରୁ ସୀମା ନିକଟରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିବା ଋଷ ଦାବି କରିଛି । ୟୁକ୍ରେନ୍‌ ପାର୍ଶ୍ବରୁ କିଛି ଅନୁପ୍ରବେଶକାରୀ ଋଷ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିବାବେଳେ ଋଷ ସେନା ଏହାର ଜୋରଦାର ବିରୋଧ କରି ଏହି ଉଦ୍ୟମକୁ ପଣ୍ଡ କରିଛନ୍ତି ବୋଲି ଦାବି ହୋଇଛି ।

ଋଷ ସେନା ୟୁକ୍ରେନ୍‌ର ୫ ଷଡ଼୍‌ଯନ୍ତ୍ରକାରୀଙ୍କୁ ହତ୍ୟା କରିଛି । ୟୁକ୍ରେନ୍‌ର କିଛି ଅସ୍ତ୍ର ବୋଝେଇ ଗାଡ଼ିକୁ ଧ୍ବଂସ କରାଯାଇଛି ବୋଲି ଋଷ ସେନା କହିଛି । କିନ୍ତୁ ୟୁକ୍ରେନ୍‌ ଏପରି ଦାବିକୁ ଖଣ୍ଡନ କରିଛି । ୟୁକ୍ରେନ୍‌ କହିଛି ରୋସ୍ତଭ ଅଞ୍ଚଳରେ ୟୁକ୍ରେନର କୌଣସି ସେନା ମୁତୟନ ହୋଇନାହାନ୍ତି । ଅନ୍ୟପ‌କ୍ଷେ ଋଷର ଏଫ୍‌ଏସ୍‌ବି କହିଛି, ୟୁକ୍ରେନ୍‌ ପାର୍ଶ୍ବରୁ ଗୋଳାମାଡ଼ ଦ୍ବାରା ଋଷର ରୋସ୍ତଭ ଅଞ୍ଚଳ ସ୍ଥିତ ଏକ ସୀମା ସୁରକ୍ଷା ପୋଷ୍ଟ୍‌ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଏଥିଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଋଷ ଦାବି କରିଛି । କିନ୍ତୁ ୟୁକ୍ରେନ୍‌ ଋଷର ଏହି ଦାବିକୁ ଅସ୍ବୀକାର କରିଛି ।