କରୋନା ଟେନସନ । ୟୁରୋପ ଓ ବ୍ରିଟେନକୁ ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

108

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଟେନସନ । ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁରୋପ ଓ ବ୍ରିଟେନକୁ ଉଡାଣ ବାତିଲ କରିଛି ଭାରତର ଆନ୍ତର୍ଜାତିକ ବିମାନ ଏୟାର ଇଣ୍ଡିଆ । ଏହା ସହ ୟୁରୋପୀୟ ଫ୍ରି ଟ୍ରେଡ ଆସୋସିଏସନ୍, ତୁର୍କୀକୁ ମଧ୍ୟ ଉଡାଣ କରିବ ନାହିଁ ଭାରତୀୟ ବିମାନ । ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ତମାନ ପାଇଁ ଉଡାଣ ବାତିଲ କରାଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହା ସହ ଏୟାର ଇଣ୍ଡିଆର  ଉଡାଣ ହେବାକୁ ଥିବା ବିମାନ ଗୁଡିକ ସମୟ ପରିବର୍ତନ କରାଯାଇଛି । ପ୍ରାୟ ୨ ଘଂଟା ଆଗୁଆ ସମସ୍ତ ୪ଟି ଫ୍ଲାଇଟ୍ ସମୟ ରଖାଯାଇଛି ।

ସେପଟେ ସାନିଟାଇଜେସନ ପାଇଁ ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଡିଜିସିଏ । କ୍ରିଉ ମେମ୍ବର ସହ ଯାତ୍ରୀଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର, ମାସ୍କ, ଗ୍ଲୋବ୍ ଉପଲବ୍ଧ କରିବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଶୌଚାଳୟ ଓ ଗାଲେରୀକୁ ସଫା ରଖିବାକୁ କହିଛନ୍ତି ଡିଜିସିଏ । ଅନ୍ୟପଟେ ପ୍ରତିଶେଷଧକ ଭାବେ କ୍ରିୟୁ ମେମ୍ବରମାନଙ୍କୁ ଯାତ୍ରୀଙ୍କ ସହ ଯଥାସମ୍ଭବ କମ୍ କଥା ହେବାକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁର ପ୍ରତିରୋଧ ପାଇଁ ପୁରା ବିମାନକୁ ଶୋଧନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମହାନିର୍ଦ୍ଦେଶକ ।