ସର୍ଭର ଠିକ୍ ହେବା ନେଇ ଦାବି କଲା ଏୟାର ଇଣ୍ଡିଆ : ୫ ଘଂଟା ଧରି ଠପ୍ ହୋଇଯାଇଥିଲା ସେବା

74

ଭାରତୀୟ ଏୟାରଲାଇନ୍ କମ୍ପାନୀ ଏୟାର ଇଣ୍ଡିଆର ସର୍ଭର ୫ ଘଂଟାରୁ ଅଧିକ ସମୟ ଧରି ଠପ୍ ହେବା ପରେ ଏହାକୁ ଠିକ୍ କରାଯାଇଛି । କମ୍ପାନୀର ସିଏମଡି ଅଶ୍ୱିନୀ ଲୋହାନୀ ଏହା ଦାବି କରିଛନ୍ତି । ସର୍ଭର ସକାଳ ୩ଟା ୩୦ରୁ ଠପ୍ ହୋଇଯାଇଥିଲା । ଏବେ ବି ସୁବିଧା ସୂଚାରୁରୂପେ ହୋଇପାରିନାହିଁ । ଯାତ୍ରୀଙ୍କୁ ବହୁତ ଅସୁବିଧାର ସାମନା କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ସର୍ଭର ଡାଉନ୍ ହେବା କାରଣରୁ ଭାରତ ସହ ବିଦେଶରେ ମଧ୍ୟ ଏୟାର ଇଣ୍ଡିଆର ବିମାନ ପ୍ରଭାବିତ ହୋଇଥିଲା। ସର୍ଭର ଡାଉନ୍ ହେବା କାରଣରୁ ଶନିବାର ଦିନ ଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏୟାର ଇଣ୍ଡିଆର ଘରୋଇ ବିମାନ ସହ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ସହ ଦେଶର ସବୁ ଏୟାରପୋର୍ଟରେ ଯାତ୍ରୀ ଫସିରହିଛନ୍ତି । ସର୍ଭର ଡାଉନ୍ ହେବା ଯୋଗୁଁ ନା ଚେକ୍ ଇନ୍ ହୋଇପାରୁଥିଲା ନା ଯାତ୍ରୀ ବୋର୍ଡିଙ୍ଗ୍ ପାସ୍ ନେଇପାରୁଥିଲେ । ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଅଶ୍ୱିନୀ ଲୋହାନୀ ଗଣମାଧ୍ୟମକୁ କହି୍ଥିଲେ ଯେ, “ଏକ ପ୍ରକାର ଟେକନିକ୍ ଖରାପ ଯୋଗୁଁ ଏପରି ହୋଇଛି, ଯାହାକୁ ଖୁବଶୀଘ୍ର ଠିକ୍ କରିଦିଆଯିବ । ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ । ଏପଟେ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ଶହ ଶହ ଯାତ୍ରୀ ଫସିରହିଥିଲେ ।“