କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଘୋଷଣା ପରେ ଏବେ ପୂରା ବିଶ୍ୱରେ ଭୟର ବାତାବରଣ ଖେଳି ଯାଇଛି । ଉଭୟ ଦେଶରେ ବିଶ୍ୱର ଅନ୍ୟ ଦେଶର ନାଗରିକ ଥିବା କାରଣରୁ ଚିନ୍ତା ଆହୁରି ବଢିଛି । ଆଉ ଏଭଳି ସ୍ଥିତିରେ ୟୁକ୍ରେନ ନିଜର ଏୟାରସ୍ପେଶ ବନ୍ଦ କରିଛି । ଋଷର ଯୁଦ୍ଧ ଘୋଷଣା ପରେ ବିମାନ ଗୁଡିକ ଉପରେ ସାଇବର ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରୁଛି ୟୁକ୍ରେନ୍ । ଯାହାଦ୍ୱାରା ବିମାନ ଗୁଡିକର ଗତିପଥ ବଦଳି ଯାଇପାରେ, ଏପରିକି ଆକାଶପଥରେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏହାଛଡା ଯାତ୍ରୀବାହୀ ବିମାନ ଗୁଡିକ ଉପରେ ମଧ୍ୟ ଆକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏସବୁକୁ ଦୃଷ୍ଟିରେ ରଖି ଗୁରୁବାର ୟୁକ୍ରେନ ନିଜର ଏୟାର ସ୍ପେଶକୁ ଯାତ୍ରୀବାହୀ ବିମାନ ପାଇଁ ବନ୍ଦ ରଖିଛି ।
ଏହାପୂର୍ବରୁ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଋଷ ଓ ବେଲାରୁଷ ସୀମାରେ ଲାଗି ରହିଥିବା ଅଞ୍ଚଳରେ ବିମାନ ଉଡାଣକୁ ନେଇ ଚେତାବନୀ ଜାରି କରିଥିଲା ୟୁରୋପ ବେସାମରିକ ବିମାନ ନିୟାମକ । ତେବେ ୟୁକ୍ରେନ୍ ନିଜର ଏୟାରସ୍ପେଶ ବନ୍ଦ କରିବା ପୂର୍ବରୁ ଏୟାର ଇଣ୍ଡିଆର ଆଉ ଏକ ବିମାନ ଦିଲ୍ଲୀରେ ପହଞ୍ଚିଛି । ଯେଉଁଥିରେ ମେଡିକାଲ ଛାତ୍ରଙ୍କ ସମେତ ଭାରତୀୟ ନାଗରିକ ଦେଶକୁ ଫେରିଛନ୍ତି ।
ଏସବୁ ଭିତରେ ଋଷ ପକ୍ଷରୁ ପ୍ରଥମେ ଆକ୍ରମଣ ପରେ ଏବେ ୟୁକ୍ରେନ ଏହାର ଜବାଦ ଦେବା ଆରମ୍ଭ କରିଛି । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ପଇଁତରା ମାରୁଥିବା ବେଳେ ଋଷର ୫ଟି ଫାଇଟର ବିମାନକୁ ରକେଟ ମାଡ କରି ଆକାଶପଥରେ ହିଁ ଧ୍ୱଂସ କରିଥିବା କହିଛି ୟୁକ୍ରେନ୍ ସେନା । ଲୁହାନସ୍କରେ ଗୋଟିଏ ହେଲିକପ୍ଟରକୁ ଆକାଶପଥରେ ନଷ୍ଟ କରାଯାଇଥିବା ନେଇ ଦାବି କରିଛି ୟୁକ୍ରେନ ସେନା ।