କନକ ବ୍ୟୁରୋ : ୫ଜି ଭୟରେ ଦ୍ୱିତୀୟ ଦିନ ପାଇଁ ବିମାନ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ । ଟେଲିକମ୍ କମ୍ପାନୀ ‘ଏଟି ଆଣ୍ଡ ଟି’ ଓ ଭେରିଜନ୍ ପକ୍ଷରୁ ଆମେରିକାରେ ୫ଜି ସେବା ଆରମ୍ଭ କରାଯାଉଛି । ଏହାକୁ ନେଇ ବିମାନ ଗୁଡ଼ିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏହାର ଇଣ୍ଡିଆଠାରୁ ଆରମ୍ଭ କରି ଜାପାନ ଏୟାରଲାଇନ୍ସ ଓ ଏମିରେଟ୍ସ ଏୟାରଲାଇନ୍ସ ଆଦି ସଂସ୍ଥା ଆମେରିକାକୁ ସେମାନଙ୍କ ବିମାନ ଉଡାଣ ବାତିଲ କରିଛନ୍ତି ।
ଏୟାର ଇଣ୍ଡିଆ ୮ଟି ବିମାନର ଉଡ଼ାଣ ବାତିଲ କରିଛି। କଂପାନି ଏହାର ଦିଲ୍ଲୀ-ନ୍ୟୁୟର୍କ, ଦିଲ୍ଲୀ-ଚିକାଗୋ, ଦିଲ୍ଲୀ-ସାନ୍ ଫ୍ରାନ୍ସିସ୍କୋ ଓ ଦିଲ୍ଲୀ-ନେୱାର୍କ ରୁଟ୍ରେ ଯାତ୍ରା କରୁଥିବା ବିମାନଗୁଡ଼ିକର ଉଡ଼ାଣକୁ ବାତିଲ କରିଛି। ଅନ୍ୟ କଂପାନିଗୁଡ଼ିକ ଆମେରିକାର ପ୍ରମୁଖ ସହର ଯଥା ସାନ୍ ଫ୍ରାନ୍ସିସ୍କୋ, ଡଲାସ୍ ଫୋର୍ଟ ୱର୍ଥ, ଓର୍ଲାଣ୍ଡୋ, ସିଆଟଲ୍, ମାୟାମି, ନ୍ୟୁୟର୍କ, ହୋଷ୍ଟନ, ଚିକାଗୋ ଓ ବୋଷ୍ଟନ ଆଦିକୁ ଯାତ୍ରା କରିବାକୁ ଥିବା ବିମାନର ଉଡ଼ାଣକୁ ରଦ୍ଦ କରିଛନ୍ତି । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ ବୋଲି କଂପାନିଗୁଡ଼ିକ କହିଛନ୍ତି । କଂପାନିଗୁଡ଼ିକ ଉଡ଼ାଣ ବାତିଲ କରୁଥିବା ବେଳେ ଭାରତର ବିମାନ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ସମସ୍ୟାର ସମାଧାନ କରିବା ଲାଗି ଏହା ବିମାନ କଂପାନିଗୁଡ଼ିକ ସହ ପ୍ରତ୍ୟକ୍ଷ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରୁଛି ।
ଆମେରିକାର ପ୍ରମୁଖ ବିମାନ କଂପାନି ଯଥା ୟୁଏସ୍ ଏୟାରଲାଇନ୍ସ, ଆମେରିକାନ୍ ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ, ୟୁନାଇଟେଡ୍ ଏୟାରଲାଇନ୍ସ ଓ ସାଉଥ୍ୱେଷ୍ଟ୍ ଏୟାରଲାଇନ୍ସର ସିଇଓମାନେ ବିମାନ ଉଡ଼ାଣ ଉପରେ ୫ଜି ସେବାର ରହିଥିବା ଗଭୀର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ନୂଆ ୫ଜି ସ୍ପେକ୍ଟ୍ରମ୍ ମୂତୟନ କରାଯାଉଥିବାରୁ ତାହା ଦେଶରେ ବିମାନ ସେବାକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ସେମାନେ କହିଥିଲେ । କେବଳ ଯାତ୍ରୀବାହୀ ନୁହେଁ ମାଲବାହୀ ବିମାନଗୁଡ଼ିକର ଚଳାଚଳ ମଧ୍ୟ ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି । ଏବେ ଏଟିଆଣ୍ଡ୍ଟି ଓ ଭେରିଜନ୍ ପକ୍ଷରୁ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ୫ଜି ମୂତୟନକୁ ଅଟକାଇ ଦିଆଯାଇଛି । ଏ ସମ୍ପର୍କରେ ଏଟିଆଣ୍ଡ୍ଟି ପକ୍ଷରୁ କୁହାଯାଇଛି ଯେ ଆମେ ସୀମିତ ସଂଖ୍ୟକ ଟାୱାରକୁ ନେଇ ୫ଜି ସେବା ଆରମ୍ଭ କରୁଛୁ । ସେହିପରି ଭେରିଜନ୍ ପକ୍ଷରୁ କୁହାଯାଇଛି ଯେ ବିମାନବନ୍ଦର ଆଖାପାଖ ଅଞ୍ଚଳରେ ଆମେ ୫ଜି ନେଟ୍ୱର୍କ ସୀମା ଭିତରେ ରଖିବୁ ।
ଜାଣନ୍ତୁ କ’ଣ ରହିଛି ଭୟର କାରଣ ?
– ବିମାନରେ ଲାଗିଥିବା ରେଡିଓ ଅଲଟିମିଟରକୁ ୫ଜି ପ୍ରଭାବିତ କରିପାରେ
– ଅଲଟିମିଟର ଜରିଆରେ ଭୂପୃଷ୍ଠଠାରୁ ବିମାନ କେତେ ଉଚ୍ଚରେ ରହିଛି ମାପାଯାଏ
– ଯେଉଁ ବ୍ୟାଣ୍ଡରେ ଅଲଟିମିଟର କାମ କରୁଛି ତାହା ୫ଜି ବ୍ୟାଣ୍ଡ ପାଖାପାଖି ରହିଛି
– ୫ଜି ବିମାନର ଇଞ୍ଜିନ୍ ଓ ବ୍ରେକ୍ ବ୍ୟବସ୍ଥାକୁ ଅଚଳ କରିପାରେ
– ୫ଜିର ପ୍ରଭାବ ବିମାନ ଅବତରଣ ଉପରେ ପଡ଼ିବ
– ବିମାନ ରନୱେରେ ଅଟକି ନପାରିବା ଭଳି ସ୍ଥିତି ସୃଷ୍ଟି ହୋଇପାରେ