ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡରେ ସ୍ଥିତି ବେହାଲ । ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଲେ ବାୟୁବୀର, ଫଶି ରହିଥିବା ୧୨ ଲୋକଙ୍କୁ କଲେ ଏୟାରଲିଫ୍ଟ । 

77

କନକ ବ୍ୟୁରୋ  : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାରେ ସ୍ଥିତି ବେହାଲ ହୋଇଛି । ରବିବାରବାର ଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । କେବଳ ନୈନିତାଲରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଉତ୍ତରାଖଣ୍ଡରେ ଗୋଟିଏ ପଟେ ବର୍ଷାର କୋପ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ଫଶି ରହିଥିବାର ଦେଖିବାକୁ ମିଳିଛି । ଆଉ ଏଭଳି ଏକ ସଙ୍କଟଜନକ ସ୍ଥିତିରୁ ଲୋକଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଛି ବାୟୁସେନା । ଉଦ୍ଧାରକାର୍ଯ୍ୟରେ ବାୟୁସେନା ନିଜକୁ ନିୟୋଜିତ କରିବା ସହ ଫଶି ରହିଥିବା ଲୋକଙ୍କୁ ଏୟାରଲିଫ୍ଟ କରିବା ଆରମ୍ଭ କରିଛି ।  କୋସି ନଦୀରେ ବନ୍ୟା ପାଣି ଆସିବାରୁ ଫଶି ରହିଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଏୟାରଲିଫ୍ଟ କରିବାରେ ସକ୍ଷମ ହୋଇଛନ୍ତି ବାୟୁସେନାର ବାୟୁବୀର । ଅନ୍ୟ ୮ ଜଣଙ୍କ ଲୋକଙ୍କୁ ରାଫ୍ଟିଂ ଜରିଆରେ ନଦୀରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ବାୟୁସେନା ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ରଦ୍ଦ କରି ବନ୍ୟା ସ୍ଥିତି ଓ ବିପନ୍ନଙ୍କ ସହାୟତା କାର୍ଯ୍ୟର ସମୀକ୍ଷା ଜାରି ରଖିଛନ୍ତି । ସେ କହିଛନ୍ତି ଯେ ସହାୟତା କାର୍ଯ୍ୟରେ ୩ଟି ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ଦୁଇଟି ହେଲିକପ୍ଟର ନୈନିତାଲକୁ ପଠାଯାଇଥିବାବେଳେ ଗୋଟିଏ ଗଡ଼ଓ୍ବାଲକୁ ପଠାଯାଇଛି ।ଏପରିକି ଉତ୍ତରାଖଣ୍ଡର ସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ  ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।