କନକ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଭାରତୀୟ ବାୟୁସେନାରେ ସାମିଲ ହେବ ସ୍ୱଦେଶୀ ହାଲୁକା ଲଢୁଆ ହେଲିକପ୍ଟର । ଏହାର ନା ରହିଛି ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଯୋଧପୁର ଏୟାରବେସରେ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମୟରେ ଉପସ୍ଥିତ ରହିବେ । ଏହା ଭାରତୀୟ ବାୟୁସେନାର ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

Advertisment

ଏହି ହାଲୁକା ଲଢୁଆ ହେଲିକପ୍ଟରକୁ ବାଙ୍ଗାଲୋରର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ତିଆରି କରିଛି । ଏହି ହେଲିକପ୍ଟରର ଓଜନ ୬ ଟନ୍ ରହିଛି । ଏହା ପାହାଡ ଇଲାକାରେ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ । ସେହିପରି ଶତ୍ରୁର ରାଡାରକୁ ସହଜରେ ଡିଟେକ୍ଟ କରିପାରିବ ଏହି ଲଢୁଆ ବିମାନ । ଏହି ହେଲିକପ୍ଟରର ବଡିରେ ଗୁଳି ବାଜିଲେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ରହିଛି । ଏହି ହେଲିକପ୍ଟରଟି ସିଆଚିନଠୁ ଆରମ୍ଭ କରି ମରୁଭୂମୀ ସମେତ ସମୁଦ୍ରରେ ନିୟୋଜିତ ହୋଇପାରିବ ।

ମିଳିଥିବା ସୂଚନା ଅନୁସାରେ ଆକାଶ ମାର୍ଗରେ ଚାଲିଥିବା ସମୟରେ ପବନର ବେଗ ମଧ୍ୟ ସେତେଟା ପ୍ରଭାବ ପକାଇ ପାରିବ ନାହିଁ । ଘଂଟାପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଏହି ହେଲିକପ୍ଟର ଯାଇପାରିବ । ଏହି ହେଲିକପ୍ଟରରେ ଯୁଦ୍ଧ ବିମାନ ଭଳି ଦୁଇ ଜଣ ପାଇଲଟ ଆଗ ପଛରେ ବସି ପାରିବେ । ହେଲେ ସାଧାରଣ ହେଲିକପ୍ଟରରେ ପାଇଲଟ ମାନେ ପାଖା ପାଖି ବସନ୍ତି । ରାଫେଲ ପରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହାଲୁକା ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ସୀମାରେ ନିୟୋଜିତ କରାଯିବ ।

ପାକିସ୍ତାନ ସୀମା ହେଉ କି ଚୀନ ସୀମାର ପାହାଡିଆ ଅଞ୍ଚଳରେ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହଜ ହେବ । ଶତ୍ରୁପକ୍ଷକୁ ଚିହ୍ନଟ କରି ମିଜାଇଲ ମାଡ କରି ନିମିଷକେ ଧ୍ୱଂସ କରିବା ଭଳି କ୍ଷମତା ରହିଛି ଏଲସିଏଚରେ । ତେଣୁ ଆଗକୁ ସୀମାରେ ପାକିସ୍ତାନ ଓ ଚୀନ ସେନା ଉପରେ ନଜର ରଖିବା ସହ ସୀମାରେ ଅନୁପ୍ରବେଶକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।