ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ : ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଦେଖିବାକୁ ମିଳିବ ୧୯୭୧ ଭାରତ-ପାକିସ୍ତାନର ଯୁଦ୍ଧର ଝଲକ; ଚଳିତ ବର୍ଷ ବିଜୟ ବର୍ଷ ଭାବେ ପାଳନ କରୁଛି ବାୟୁସେନା

126

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନା । ବାୟୁସେନାର ଲଢୁଆ ବିମାନ ଶକ୍ତି ପ୍ରଦର୍ଶନ କରିଥିଲେ । ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନ ଗାଜିଆବାଦର ହଣ୍ଡିନ ଏୟାରବେସରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ଓ ସୁଖୋଇ ଏସ୍ୟୁ-୩୦କୁ ମଧ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ସିଡିଏସ୍ ବିପିନ ରାୱତ, ନୌସେନା ମୁଖ୍ୟ କମରବୀର ସିଂହ, ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରଭଣେ ପ୍ରମୁଖ ଉପସ୍ଥିତ ଥିଲେ । ୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା ।

ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଭାରତୀୟ ବାୟୁସେନା ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍ରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ ହୋଇଛି । ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଏପରି ଆୟୋଜନ କରିଛି ଭାରତୀୟ ବାୟୁସେନା । ଦେଶ ସ୍ୱାଧୀନ ହେବା ପୂର୍ବରୁ ବାୟୁସେନାକୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ବୋଲି କୁହାଯାଉଥିଲା । ଦେଶ ସ୍ୱାଧୀନ ହେବା ପରେ ରୟାଲ ଶବ୍ଦକୁ ହଟାଯାଇ ଇଣ୍ଡିଆନ୍ ଏୟାରଫୋର୍ସ ଦିଆଯାଇଥିଲା ।