ଦାୟିତ୍ୱ ନେଲେ ବାୟୁ ସେନା ମୁଖ୍ୟ ବିବେକ ରାମ ଚୌଧୁରୀ

99

କନକ ବ୍ୟୁରୋ:ଆଜି ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିବେକ ରାମ ଚୌଧୁରୀ । ପୂର୍ବତନ ଏୟାର ଚିଫ୍ ଆରକେଏସ୍ ଭଦୁରିଆ ତାଙ୍କୁ ଦାୟିିତ୍ୱ ହସ୍ତାନ୍ତର କରିଛନ୍ତି । ‘ଆତ୍ମନିର୍ଭର’ ହେବା ଆବଶ୍ୟକ ବୋଲି କହିବା ସହ ଭାରତୀୟ ବାୟୁସେନା ‘ସମସ୍ତ ପ୍ରକାର ଚାଲେଞ୍ଜ୍‌’ର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିବା କଥା ‘ଏୟାର୍‌ ଚିଫ୍‌ ମାର୍ସାଲ୍‌’ ବିବେକ ରାମ ଚୌଧୁରୀ କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସହ କରିଥିବା ସାକ୍ଷାତ୍‌କାରରେ ବିବେକ ରାମ ଚୌଧୁରୀ କହିଛନ୍ତି, ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତୀୟ ବାୟୁସେନା ପ୍ରସ୍ତୁତ ରହିଛି। ଏଥିପାଇଁ ତାହାର ସାମର୍ଥ୍ୟ ମଧ୍ୟ ଅଛି। ଏବେ ଆତ୍ମନିର୍ଭର ହେବା ସହ ନୂତନ ସମ୍ବଳ ସବୁକୁ ତୁରନ୍ତ ବାୟୁସେନାରେ ସାମିଲ କରିବା ପାଇଁ ଧ୍ୟାନ ଦେବୁ।

ଏୟାର୍‌ ଚିଫ୍‌ ମାର୍ସାଲ୍‌ ଆର୍‌କେଏସ୍‌ ଭଦୌରିଆ ଅବସର‌ ନେବା ପରେ ବିବେକ ରାମ ଚୌଧୁରୀ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହ ସେ ଭାରତୀୟ ବାୟୁସେନାର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଦୃଢ଼ପରିକର ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଅତି ଚଞ୍ଚଳ ବାୟୁସେନାରେ ରାଫେଲ୍‌ ଲଢୁଆ ବିମାନ ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଅସ୍ତ୍ରଶସ୍ତ୍ର ସାମିଲ କରିଛୁ। ଅସ୍ତ୍ରଶସ୍ତ୍ରର ବିଭିନ୍ନ ବର୍ଗରେ ‘ଡିଆର୍‌ଡିଓ’ କାର୍ଯ୍ୟ କରୁଛି। ଆଗାମୀ ଦିନରେ ସେ ସବୁ ଭାରତୀୟ ବାୟୁସେନାକୁ ସାହାଯ୍ୟ କରିପାରେ। ଗତ ଦେଢ଼ବର୍ଷ ହେବ, ବାୟୁସେନାରେ କେତେକ ନୂଆ ଅସ୍ତ୍ରଶସ୍ତ୍ର ଏବଂ ବିମାନ ମଧ୍ୟ ସାମିଲ କରାଯାଇଛି।

ସମ୍ପ୍ରତି ରାଫେଲ୍‌ ଲଢୁଆ ବିମାନର ପାଇଲଟ୍‌ ଥିବା ବିବେକ ରାୟ ଚୌଧୁରୀଙ୍କ ପୁତ୍ର ମଧ୍ୟ ବାୟୁସେନାର ଲଢୁଆ ବିମାନ ସମୂହର ଆଧୁନିକିକରଣରେ ଭୂମିକା ନିର୍ବାହ କରିଛନ୍ତି। ତାଙ୍କରି ପରାମର୍ଶ ଅନୁସାରେ ନିକଟ ଭବିଷ୍ୟତରେ ବାୟୁସେନାରେ ଅଧିକ ସ୍ବଦେଶୀ ଏବଂ ବିଦେଶୀ ଲଢୁଆ ବିମାନ ସାମିଲ କରାଯିବାର ଯୋଜନା ରହିଛି।

‘ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଏକାଡେମି’ର ଛାତ୍ର ଏୟାର୍‌ ଚିଫ୍‌ ମାର୍ସଲ୍‌ ଚୌଧୁରୀ ୧୯୮୨ ଡିସେମ୍ବର ୨୯ ତାରିଖ ଦିନ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ୩୮ ବର୍ଷର କ୍ୟାରିୟର୍‌ରେ ସେ ଭାରତୀୟ ବାୟୁସେନାର ଅନେକ ପ୍ରକାରର ଲଢୁଆ ଓ ତାଲିମ୍ ନିମନ୍ତେ ଥିବା ବିମାନ ଉଡ଼ାଇଛନ୍ତି।