ପାକିସ୍ତାନ ବାଲାକୋଟ ଆକ୍ରମଣ ନେଇ ବାୟୁସେନା ମୁଖ୍ୟଙ୍କ ବଡ ବୟାନ: କହିଲେ, ସେନାର କାମ ଟାର୍ଗେଟ୍ ଉଡାଇବା, ନିହତଙ୍କ ସଂଖ୍ୟା ଗଣିବା ନୁହେଁ

ଜଙ୍ଗଲରେ ବୋମା ପଡିଥିଲେ ପ୍ରତିଆକ୍ରମଣ କରିନଥାନ୍ତା ପାକ

277

କନକ ବ୍ୟୁରୋ: ପାକିସ୍ତାନ ଉପରେ ଆକ୍ରମଣ ନେଇ ବାୟୁସେନା ମୁଖ୍ୟ ବିଏସ ଧନୁଆ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି. ପାକିସ୍ତାନରେ ଟାଗେଟକୁ ଧ୍ୱଂସ କରିବାରେ ସଫଳ ହୋଇଛି ଏୟାରଫୋର୍ସ । ଭାରତୀୟ ବାୟୁସେନା ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲା ତାହା ପୂରଣ ହୋଇଛି । ତେବେ ଯଦି ଜଙ୍ଗଲ ଉପରେ ବୋମା ପଡିଥାନ୍ତା ତାହେଲେ ପାକିସ୍ତାନ ପ୍ରତିଆକ୍ରମଣ କରିନଥାନ୍ତା ବୋଲି ସେ କହିଛନ୍ତି ।

ଯୋଜନା ଅନୁସାରେ ଏଫ-୧୬କୁ ଟାର୍ଗେଟ କରାଯାଇଥିଲା । ଏଥିରେ ମଧ୍ୟ ସଫଳ ହୋଇଛନ୍ତି । ଏବଂ ପାକିସ୍ତାନ ବିରୋଧରେ ଭାରତୀୟ ବାୟୁସେନାର ଅପରେସନ ସରିନାହିଁ । ତେବେ ପାକିସ୍ତାନ ଉପରେ ଆକ୍ରମଣରେ କେତେଜଣଙ୍କର ମୃତ୍ୟୁ ହୋଇଛି ତାହା ବାୟୁସେନାର କାର୍ଯ୍ୟ ନୁହେଁ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି ଧନୁଆ । ଅଭିନନ୍ଦନ କକ୍ପିଟ୍କୁ ଫେରିବା ପ୍ରସଙ୍ଗରେ କହିଛନ୍ତି ସେ ଉଡାଣ ଭରିବେ କି ନାହିଁ ତାହା ତାଙ୍କର ଫିଟନେସ୍ ସାର୍ଟିଫିକେଟ୍ ଉପରେ ନିର୍ଭର କରୁଛି । ମିଗ୍-୨୧କୁ ଅପଗ୍ରେଡ କରାଯାଇଛି ଓ ଏହା ଏକ ଦୃଢ଼ ଓ ଆକ୍ରମଣାତ୍ମକ ଯୁଦ୍ଧ ବିମାନ ବୋଲି ସେ ମତ ରଖିଛନ୍ତି । ବାୟୁସେନାରେ ନୂଆ ବିମାନ ଆଣିବାକୁ ଯୋଜନା କରାଯାଉଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ।

ଅନ୍ୟପଟେ, ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ବଡ ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗୁଜରାଟରେ ଶାହ କହିଛନ୍ତି, ଏହି ଏୟାର ଷ୍ଟ୍ରାଇକରେ ୨୫୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହା ସହିତ ବାଲକୋଟ ଆକ୍ରମଣରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସଭାପତି । ସେ କହିଛନ୍ତି ମମତା ବାନାର୍ଜୀ ଓ ରାହୁଲ ଗାନ୍ଧି ଏ ନେଇ ଶସ୍ତା ରାଜନୀତି କରୁଛନ୍ତି । ଓ ଏଥିରୁ ନିବୃତ ରହିବାକୁ ଅମିତ ପରାମର୍ଶ ଦେଇଛନ୍ତି ।